ଟ୍ରକ୍‌କୁ ପଛପଟୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ବୋଲେରୋ; ଜଣେ ମୃତ, ୨ ଜଣ ଗୁରୁତର

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ମା’ ତାରିଣୀ ମନ୍ଦିର ନିକଟରେ ଏକ ବୋଲେରୋ (ଓଡ଼ି୦୯ପି-୩୪୮୯) ଶନିବାର ବିଳମ୍ବିତ ରାତିରେ ଠିଆ ହୋଇଥିବା ଏକ ହାଇୱା ଟ୍ରକ୍‌(ଓଡ଼ି୦୯ଭି-୧୧୬୪)କୁ ପଛପଟୁ ଧକ୍କା ଦେଇଛି। ଫଳରେ ଦ୍ରୁତଗାମୀ ବୋଲେରୋର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଏହାର ଚାଳକ ସହିତ ଆଗ ସିଟ୍‌ରେ ବସିଥିବା ସାକ୍ଷମ ସଦାନନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଚାଳକ ହର୍ଷ ଶଙ୍କରଙ୍କ ଗୋଡ଼ ଭାଙ୍ଗି ଗୁରୁତର ଆହତ ହୋଇଥିବାବେଳେ ପଛ ସିଟରେ ବସିଥିବା ଲୋକେଶ ପାୱାର ମଧ୍ୟ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେହେଁ, ହର୍ଷଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ଥିବା ଜଣାଯାଇଛି।

ଘଟଣାରୁ ଜଣାପଡ଼ିଛି ଯେ ଶନିବାର-ରବିବାର ରାତି ପ୍ରାୟ ୨ ଘଟିକା ସମୟରେ ସାକ୍ଷମ ସଦାନନ୍ଦ, ହର ଶଙ୍କର ଓ ଲୋକେଶ ପାୱାର ନାମଙ୍କ ତିନି ଜଣ ଯୁବକ ଏକ ବୋଲୋରୋ (ଓଡି୦୯ପି-୩୪୮୯) ଯୋଗେ ବଡ଼ବିଲରୁ ଯୋଡ଼ା ଅଭିମୁଖେ ଯାଉଥିଲେ। ତେବେ ବୋଲେରୋଟି ହଠାତ ଡିଭାଇଡର ଡେଇଁ ବିପରିତ ପାର୍ଶ୍ଵକୁ ଚାଲି ଆସିଥିଲା। ଫଳରେ ସାମ୍ନାରୁ ଆସୁଥିବା ହାଇୱା ଟ୍ରକ୍‌ (ଓଡି୦୯ଭି-୧୧୬୯ ) ସହିତ ପିଟି ହୋଇଥିଲା। ଏହା ଦ୍ୱାରା ବୋଲେରୋର ଆଗ ସିଟରେ ବସିଥିବା ସାକ୍ଷମ ସଦାନନ୍ଦଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗାଡି ଚଳାଉଥିବା ହର ଶଙ୍କର ଗୁରୁତ୍ୱର ଭାବେ ଆହତ ହୋଇଥିଲେ। ତେବେ ଦୁଇ ଆହତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ହର୍ଷଙ୍କ ଅବସ୍ଥା ଅତି ସଂକଟାପର୍ଣ୍ଣ ଥିବା ଜଣାଯାଇଛି। ମୃତ ଓ ଗୁରୁତର ଆହତ ଯୋଡ଼ା ଅଂଚଳର ହୋଇଥିବା ଜଣାଯାଇଛି। ବଡ଼ବିଲ ପୁଲିସ ମୃତକର ଶବ ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର