ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ଅଁଳା ରାସ୍ତାର ଆମ୍ବଗଡ଼ିଆ ଛକ ନିକଟରେ ରବିବାର ଅପରାହ୍ନରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହିତ କାର ମୁହାଁମୁହିଁ ହୋଇଛି। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ତେବେ କାର ଚାଳକ ତୋଟାପୋଡ଼ା ଅଞ୍ଚଳର ଏକାଦଶୀ ମହାନ୍ତଙ୍କ ପୁଅ ଅନନ୍ତ ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ରୁପ୍ସା ଅଞ୍ଚଳରୁ ସିମେଣ୍ଟ ବୋଝେଇ ଟ୍ରକ୍ (ଓଆର୦୧-୯୯୧୪) ଅଁଳା ପଟକୁ ଯାଉଥିଲା। ଠିକ ସେତକିବେଳେ କାର୍ (ଓଡି୧୧ଭି-୧୮୧୭)ରେ ଅନନ୍ତ ବୈଶିଙ୍ଗା ପଟକୁ ଦ୍ରୁତଗତିରେ ଆସୁଥିଲେ। ଟ୍ରକଟି ଆମ୍ବଗଡ଼ିଆ ରେଲୱେ ଫାଟକ ଅତିକ୍ରମ କଲା ପରେ ଗଡ଼ାଣିଆ ରାସ୍ତା ପାଇଁ ଗତି ଟିକେ ବଢିଯାଇଥିବାବେଳେ ସାମ୍ନା ପଟରୁ ଆସୁଥିବା ଦ୍ରୁତଗାମୀ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ କାରର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗି ଯାଇଥିଲା। ଚାଳକ ପାଖ ବେଲୁନ ମଧ୍ୟ ଖୋଲିଯାଇଥିଲା, ଯୋଉଁଥିପାଇଁ ଏହି ଭୟଙ୍କର ଦୁର୍ଘଟଣାରେ କାର ଚାଳକ ଅନନ୍ତ ସାମାନ୍ୟ ଆହତ ହୋଇ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ।
ଅନନ୍ତ କାର ସିଟରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କାର କବାଟ ଭାଙ୍ଗି ବାହାର କରିଥିଲେ। ଉଭୟ ଚାଳକଙ୍କ କହିବା କଥା ରାସ୍ତା ୨ ପାର୍ଶ୍ୱରେ ବିଛା ହେବାକୁ ଥିବା ମାଟି କୁଢ଼ ପାଇଁ କେହି ରାସ୍ତା ତଳକୁ ଓହ୍ଲାଇ ପାରିନଥିଲେ, ଯୋଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣା ରାସ୍ତା ମଝାମଝିରେ ଘଟିଥିବାରୁ ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ କୌଣସି ଯାନବାହାନ ଯାତାୟତ କରିପାରିନଥିଲା। ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ ପୂର୍ବକ ରାସ୍ତାରୁ ଅପସାରଣ କରାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।