ବାଇକ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର୍‌, ୩ ମୃତ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର-ପାଟଣାଗଡ଼ ରାସ୍ତାର ବୁଡ଼େନ ଥାନା ଅନ୍ତର୍ଗତ ବାଦିମାଳ ଡୁଙ୍ଗୁରୀ ନିକଟରେ ମଙ୍ଗଳବାର ଏକ ତେଲ ବୋଝେଇ ଟ୍ୟାଙ୍କର୍‌ ଗୋଟିଏ ବାଇକ୍‌କୁ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ବାଇକ୍‌ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଭୁଏପାଲି ଗ୍ରାମର ଦୁର୍ଲ୍ଲଭ ନାଗ (୫୫), କୁଡ଼ାପଦର ଗ୍ରାମର ଠାକୁର ଗହୀର (୩୮) ଓ ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ଥାନା ଅନ୍ତର୍ଗତ ଯୁବ‌ାଖୋଳ ଗ୍ରାମର ଅର୍ଜୁନ ଦୀପ (୩୫)। ପ୍ରାପ୍ତ ସୂଚନାନୁସାରେ ଦହିତା ଗ୍ରାମରେ ହେଉଥିବା ଏକ ବିବାହୋତ୍ସବରେ ଯୋଗ ଦେଇ ଏହି ଯୁବକମାନେ ଏକ ବାଇକ୍‌ରେ ଫେରୁଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳେ ବାଦିମାଲ ଡୁଙ୍ଗୁରୀ ନିକଟରେ ତେଲ ବୋଝେଇ ଟ୍ୟାଙ୍କର୍‌ଟି ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ୟାଙ୍କର୍‌ ଚାଳକ ଫେରାର୍‌ ହୋଇଯାଇଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛି। ଟ୍ୟାଙ୍କର୍‌ଟିକୁ ଜବତ କରି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର