ଦୁର୍ଘଟଣାରେ ୬ ମୃତ: ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

ବସ୍‌ ଧକ୍କା ଦେଲା, ଛାତ୍ରୀଙ୍କ ସମେତ ୨ ମୃତ

ଜୟପୁର: ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ଅନ୍ତର୍ଗତ ଡିମଳା ଗାଁ ଛକ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରିବା ପରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ମୃତକ ଦ୍ବୟ ହେଲେ ପଣସପୁଟବାଗ୍ରା ଗାଁର ସୁଦର୍ଶନ ହରିଜନ (୧୮) ଓ କମଳ ଲୋଚନ ହରିଜନ (୪୮)। ଚିକିତ୍ସାଧୀନ ଆହତ ହେଲେ ସୌରାଗୁଡା ଗାଁର ସୁବାସ ହରିଜନ(୩୫)। ଏହି ଘଟଣାରେ ଟ୍ରକ ଡ୍ରାଇଭର ମହେନ୍ଦ୍ର ଗଡନାୟକ (୩୨)ଙ୍କୁ ଜୟପୁର ସଦର ପୁଲିସ ଅଟକ ରଖିବା ସହ ଟ୍ରକକୁ ମଧ୍ୟ ଜବତ କରିଛି।

ସୂଚନା ଅନୁଯାୟୀ, ମାଲକାନଗିରିରୁ ଗୋଟିଏ ଟ୍ରକ (ଓଡି ୧୫ସି ୦୪୮୯) ଜୟପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ଜୟପୁରରୁ ୩ଜଣ ଯୁବକ ନମ୍ବର ବିହୀନ ବାଇକରେ ଯାଉଥିଲେ। ଡିମଳା ଛକ ନିକଟରେ ସମ୍ମୁଖରେ ଯାଉଥିବା ଗୋଟିଏ ଗାଡ଼ିକୁ ବାଇକ ଚାଳକ ଅତିକ୍ରମ କରିବା ସମୟରେ ସମ୍ମୁଖରେ ହଠାତ୍ ଚାଲି ଆସିଥିବା ଉପରୋକ୍ତ ଟ୍ରକ ଧକ୍କା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ସୁଦର୍ଶନ ଏବଂ କମଳ ଲୋଚନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଆହତ ମହେନ୍ଦ୍ରକୁ ଉଦ୍ଧାର କରି ମେଡିକାଲ ନେଇଥିଲେ।

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ବନ୍ଧଖୋଳ ଗ୍ରାମ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ରିଆମାଳ ଥାନା ବାଘିଆବନ୍ଧ ଗ୍ରାମର ଶଶି ଭୂଷଣ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ(୧୮) ଓ ବୀରେନ୍ଦ୍ର ବିଶ୍ବାଳଙ୍କ ଝିଅ ସୀମାରେଖା ବିଶ୍ବାଳ(୧୭)। ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ ମଙ୍ଗଳବାର ସକାଳେ ନିଜ ସମ୍ପର୍କୀୟ ବୀରେନ୍ଦ୍ରଙ୍କ ଝିଅ ସୀମାରେଖାଙ୍କୁ ବାଇକ୍‌( ଓଡି-୨୮-୯୫୫୯)ରେ ଦେବଗଡ଼ ଜୁନିୟର ମହାବିଦ୍ୟାଳୟକୁ ଛାଡ଼ିବାକୁ ଯାଉଥିଲେ। ବନ୍ଧଖୋଳ ଗ୍ରାମ ନିକଟସ୍ଥ ୫୩ ନଂ ଜାତୀୟ ରାଜପଥର ଏକ ବୁଲାଣି ନିକଟରେ ଦେବଗଡ଼ରୁ ଅନୁଗୁଳ ଅଭିମୁଖେ ଯାଉଥିବା ଘରୋଇ ବସ୍‌ ସରସ୍ବତୀ ଟ୍ରାଭେଲ୍ସ (ଓଡି-୨୮-୮୧୧୮) ସେମାନଙ୍କୁ ଧକ୍କା ହେଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୀମାରେଖାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ବାଇକ୍‌କୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତଦେହ ପହଞ୍ଚିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦେବଗଡ଼ ମହାବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ। ଏହା ପରେ ଆଜିର ଆଜିର କ୍ଲାସ୍‌କୁ ସସ୍‌ପେଣ୍ଡ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର