କାମାକ୍ଷାନଗର: ଟ୍ରକ୍‌ ଧକ୍କା ଯୋଗୁଁ ମାଟ୍ରିକ୍‌ ପରୀକ୍ଷାର୍ଥୀ ଓ ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ

କାମାକ୍ଷାନଗର: ଶୁକ୍ରବାର ସକାଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଢାବା ପାଖରେ ଗୋଟିଏ ଟ୍ରକ୍‌ ଓ ଗୋଟିଏ ମଟରସାଇକେଲ୍‌ ମଧ୍ୟରେ ଧକ୍କା ହେବାରୁ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି।

ଆହତମାନେ ହେଲେ ଶାନ୍ତନୁ ନାଏକ, ତାଙ୍କ ବାପା ମହେଶ୍ୱର ଓ ତାଙ୍କ ସାନଭାଇ ମାଟ୍ରିକ୍‌ ପରୀକ୍ଷାର୍ଥୀ ବୁଲୁ। ତିନିହେଁ ମଟରସାଇକେଲ୍‌ ଯୋଗେ ସକାଳ ପ୍ରାୟ ୭ଟା ସମୟରେ ବୁଲୁକୁ ନେଇ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର କଙ୍କଡ଼ାସୋଡ଼ା ସ୍କୁଲ୍‌କୁ ଯାଉଥିଲେ। ବାଟରେ ମଟରସାଇକେଲ ଚାଳକ ଶାନ୍ତନୁ ଗୋଟାଏ ବସ୍‌କୁ ଅତିକ୍ରମ କରିଯାଉଥିବା ବେଳେ ସାମନାରୁ ଆସୁଥିବା ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇଥିଲେ। ଧକ୍କାର ପ୍ରଭାବରେ ଶାନ୍ତନୁଙ୍କ ଡାହଣ ଗୋଡ଼ ଛିଡ଼ି ଯାଇଥିବା ବେଳେ ମହେଶ୍ୱର ଓ ବୁଲୁଙ୍କର ଡାହଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ଦୁର୍ଘଟନା ଘଟାଇଥିବା ଟ୍ରକ୍‌ ସେଠାରୁ ଚାଲିଯାଇଛି। ଆହତମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଶାନ୍ତନୁଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହେଶ୍ୱର ଓ ବୁଲୁଙ୍କୁ ମଧ୍ୟ ସେଠାରୁ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁଃଖଦ ଘଟନାରେ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକେ କିଛି ସମୟ ଲାଗି ରାଜପଥ ଅବରୋଧ କରିଥିଲେ। ପୁଲିସ ପହଞ୍ଚିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର