ଉଡ଼ିଲା ଟ୍ରକ୍‌, ୨ ଯବାନ ସହିଦ: ପୁଣି ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ମାଲକାନଗିରି: ଯବାନଙ୍କ ଟ୍ରକ୍‌କୁ ପୁଣି ଟାର୍ଗେଟ କଲେ ନକ୍ସଲ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଟ୍ରକ୍‌ ଶୂନରେ ଉଡ଼ି କିଛି ଦୂରରେ ଥିବା ବଡ଼ଗାତରେ ପଡ଼ିଥିଲା। ନକ୍ସଲଙ୍କ ଏହି ହମ୍‌ଲାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଜାଗରଗୁଣ୍ଡା ଥାନା ଅଞ୍ଚଳରେ ନକ୍ସଲ ଏହି ହିଂସାକାଣ୍ଡ ଭିଆଇଛନ୍ତି। ସହିଦ ଦୁଇ ଯବାନ ବିଷ୍ଣୁ ଆର. ଏବଂ ଶୈଳେନ୍ଦ୍ର କୁମାର ବୋଲି ଜଣାପଡ଼ିଛି। ଟ୍ରକ୍‌ଟି ୨୦୧ କୋବ୍ରା ବାଟାଲିୟନ୍‌ର ଏବଂ ଜାଗରଗୁଣ୍ଡା ଥାନା ଅଞ୍ଚଳର ସିଲଗେର ଠାରୁ ଟେକଲଗୁଡେମକୁ ଯାଉଥିଲା।

ସୂଚନା ଅନୁସାରେ, ପୂର୍ବରୁ ନକ୍ସଲ ସିଲଗେର ଏବଂ ଟେକଲଗୁଡେମ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। ରବିବାର ସକାଳେ ଯବାନ ଏହି ରାସ୍ତାଦେଇ ଯିବାର ଥିଲା। ତେବେ କିଛି ଯବାନ ପ୍ରଥମେ ମୋଟର ସାଇକେଲରେ ଯାଇ ଏସ୍‌ଓପି ପାଳନ କରିଥିଲେ। ଅପରାହ୍ନ ପ୍ରାୟ ୩ଟାରେ କୋବ୍ରା ବାଟାଲିୟନର ଟ୍ରକ୍‌ କିଛି ଯବାନଙ୍କୁ ନେଇ ବାହାରିଥିଲା। ସିଲଗେର ଏବଂ ଟେକଲଗୁଡେମ ମଧ୍ୟରେ ନକ୍ସଲ ଛପି ରହିଥିଲେ। ଯବାନଙ୍କ ଗାଡ଼ି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସ୍ଥାନ ନିକଟରେ ପହଞ୍ଚିବା କ୍ଷଣି ନକ୍ସଲ ବିସ୍ଫୋରଣ କରିଥିଲେ। ସହିଦଙ୍କ ମଧ୍ୟରେ ଜଣେ ଟ୍ରକ୍‌ ଚାଳକ ଓ ଅନ୍ୟଜଣେ ଯବାନ ଥିଲେ। ଗାଡ଼ିରେ ବସିଥିବା ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ସହିଦଙ୍କ ମରଶରୀର ଅନ୍ୟ ଯବାନମାନେ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଛନ୍ତି। କିଛିଦିନ ତଳେ ନକ୍ସଲ ଅନୁରୂପ କାଣ୍ଡ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟାଇଥିଲେ। ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିବାରୁ ୨ଜଣ ଯବାନ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର