ବଲାଙ୍ଗୀର: ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାରେ ପ୍ରତିଦିନ ବେଆଇନ ଦାଦନ ଚାଲାଣ ଚାଲିଛି। ଏମିତି ଏକ ରାତିଅଧିଆ ଦାଦନ ଚାଲାଣ ସମୟରେ ଦୁର୍ଘଟଣା ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାର ଭୋର୍ରୁ ଦାଦନ ଶ୍ରମିକଙ୍କୁ ନେଇ ଦ୍ରୁତଗତିରେ ଯାଉଥିବା ବଲେରୋ ଗାଡ଼ି ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ବଲାଙ୍ଗୀର- ସୋନପୁର ରାସ୍ତାର ବଇରାସର ନିକଟ ବନବାହାଲ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟି ବଲେରୋରେ ଯାଉଥିବା ୩ ଜଣ ଶ୍ରମିକ ଶକୁନ୍ତଳା ସାହୁ, ପବିତ୍ର ସାହୁ ଓ ତେଜେରାଜ ବାରିକଙ୍କ ମୃତ୍ୟୁ ଘଟିଥିଲା। ୮ ଗୁରୁତରଙ୍କ ମଧ୍ୟରେ ତମିଆଁ ଗାଁର କୃଷ୍ଣ ପୁଟେଲ, କଣ୍ଠ ପୁଟେଲ, ପିଙ୍କି ପୁଟେଲ, ରୁକ୍ମିଣୀ ପୁଟେଲ, ମିନା ପୁଟେଲ, ଦୟା ପୁଟେଲ, ଘୁମେର ଗାଁର ସମାରୁ ସାହୁ, ହରେକୃଷ୍ଣ ସଲତର ପ୍ରମୁଖ ରହିଛନ୍ତି। ସମାରୁ ଓ ହରେକୃଷ୍ଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁଇ ଜଣ ଶିଶୁ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି।
ବଲେରୋଟି ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁରୁ ଶିଶୁଙ୍କ ସମେତ ପ୍ରାୟ ୧୫ ଜଣ ପୁରୁଷ ଓ ମହିଳା ସମେତ ଶିଶୁଙ୍କୁ ନେଇ କଟକ ଅଞ୍ଚଳର କେଉଁ ଏକ ଇଟାଭାଟିରେ କାମ କରିବାକୁ ଛାଡ଼ିବାର ଥିଲା। ତେଜେରାଜ ଓ ଗାଡ଼ିରେ ଥିବା ଆଉ ଜଣେ କବି ନାମକ ବ୍ୟକ୍ତି ଏମାନଙ୍କୁ ନେଇ ଯାଉଥିଲେ। ରାତି ପ୍ରାୟ ୩ଟା ସମୟରେ ବଲାଙ୍ଗୀର ଡେଇଁ ସୋନପୁର ରାସ୍ତା ଦେଇ ଯାଉଥିଲେ। ବେଆଇନ ଭାବେ ଶ୍ରମିକମାନେ ଯାଉଥିବାରୁ ବଲେରୋ ଦ୍ରୁତ ଗତିରେ ଯାଉଥିଲା। ହଠାତ୍ ବନବାହାଲ ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ବଲେରୋ ଧକ୍କା ଦେଇଥିଲା। ଖବର ପାଇ ପୁଇଁତଳା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହାକ୍ତରଖାନାକୁ ପଠାଇଥିଲା। ସମସ୍ତ ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ପୁଇନ୍ତଳା ଥାନା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ପ୍ରଥମେ ଶ୍ରମିକମାନେ ପୁରୀ ମହାପ୍ରଭୁଙ୍କ ଦର୍ଶନ କରି ଯାଉଥିବା ଭୟରେ କହିଥିଲେ। ପରେ ସବୁ ସତ କଥା ଗୁରୁତର ଶ୍ରମିକମାନେ ବଖାଣିଥିଲେ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dg54hdg74jhd98g7jh89dg7jh98dg7j98dg7jdg98j8dgjjjjjjjjjjjjjjjjjjjjjjjj.jpg)