ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ତେରବେଡ଼ା ନିକଟରେ ଏକ ଟ୍ରକ୍‌ (ଓଡି ୧୯- ୨୨୭୭) ଓଲଟି ଜଳିଯାଇଛି। ଟ୍ରକ୍‌ ଭିତରେ ଥିବା ଚାଳକ ଅଲେଖ ବାଦୀ (୩୫ବର୍ଷ) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଗ୍ରାମର ଅଲେଖ ରାଉରକେଲାରେ ଟ୍ରକ୍‌ରୁ କୋଇଲା ଅନ୍‌ଲୋଡ କରି ଫେରୁଥିଲେ। ବୁଧବାର ଭୋର୍‌ ପ୍ରାୟ ୩ ଟାରେ ରେଢ଼ାଖୋଲ-ନାକଟିଦେଉଳ ରାସ୍ତାର ତେରବେଡା ନିକଟରେ ଖାଲି ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଓଲଟିବା ପରେ ନିଆଁ ଲାଗି ଟ୍ରକ୍‌ଟି ପୋଡ଼ି ଯାଇଥିଲା।

ଚାଳକ ଅଲେଖ ଟ୍ରକ୍‌ ଭିତରୁ ବାହାରି ନପାରି ସମ୍ପୂର୍ଣ୍ଣ ଜଳିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ତେରବେଡ଼ା ଗ୍ରାମବାସୀ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଘଟଣାସ୍ଥଳୁରୁ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାର ସତ୍ୟତା ଜାଣିବା ପାଇଁ ସମ୍ବଲପୁର ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ଫେରିଯାଇଛନ୍ତି। ସେପଟେ ପରିବାର ଲୋକେ ଖବର ପାଇ ଆଜି ରେଢ଼ାଖୋଲ ପହଞ୍ଚିଥିଲେ। ବ୍ୟବେଚ୍ଛେଦ ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ଶବ ପଠାଯାଇଛି।

ସମ୍ବନ୍ଧିତ ଖବର