କେନ୍ଦୁଝର: ପ୍ରଥମେ ଟ୍ରେନ୍ ଯୋଗେ ଲୁହାପଥର ପରିବହନ କରାଗଲା। ପରେ ସ୍ଲରି ପାଇପ୍ଲାଇନ୍ ଏବଂ ରାଜ୍ୟ ବାହାରର ବଡ଼ବଡ଼ ଟ୍ରେଲର ଯୋଗେ ବିଭିନ୍ନ ଖଣି କମ୍ପାନି ଲୁହାପଥର ପରିବହନ କଲେ। ଏବେ ଓଏମ୍ସି ଟ୍ରକ୍ ମାଲିକ ସଂଘ ପରିବର୍ତ୍ତେ ଟ୍ରାନ୍ସପୋର୍ଟରଙ୍କୁ ବାରକୋଡ୍ ଦେବା ପରେ ଏକ ପ୍ରକାର ଅଚଳ ହେବାକୁ ଯାଉଛି କେନ୍ଦୁଝର ଟ୍ରକ୍ ମାଲିକ ସଂଘ। ଆଉ ଏହାର ସିଧାସଳଖ ପ୍ରଭାବ ପଡ଼ିବ ଟ୍ରକ୍ ମାଲିକ, ଡ୍ରାଇଭର ଏବଂ ହେଲପରମାନଙ୍କ ଉପରେ।
ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଜୀବିକାର ମୁଖ୍ୟ ଉତ୍ସ ହେଉଛି ଖଣି। ଜିଲ୍ଲାର ବହୁ ଶିକ୍ଷିତ ଯୁବକ ଋଣ କରି ଟ୍ରକ୍ କିଣିବା ପରେ ଖଣିଜ ପରିବହନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜିଲ୍ଲାରେ ପ୍ରାୟ ୩୦ ହଜାର ଟ୍ରକ୍ ରହିଛି। ଏହା ଉପରେ ପ୍ରତ୍ୟକ୍ଷ ଭାବେ ୬୦ ହଜାର ପରିବାର ନିର୍ଭର କରିଥାନ୍ତି। ସେହିପରି ପରୋକ୍ଷରେ ଆଉ ୨୦ ହଜାର ପରିବାର ନିର୍ଭର କରିଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଜିଲ୍ଲାର ଅର୍ଥନୀତିର ସିଂହଭାଗ ଟ୍ରକ୍ ବ୍ୟବସାୟ ଉପରେ ନିର୍ଭରଶୀଳ। ହେଲେ ଦିନକୁ ଦିନ ଏହି ଭାତହାଣ୍ଡି ଉପରକୁ ବିପଦ ମାଡ଼ି ଆସୁଥିବାରୁ ୮୦ ହଜାର ପରିବାରର ଜୀବିକା ଉଜୁଡ଼ିଯିବାକୁ ବସିଛି।
କେନ୍ଦୁଝର ଜିଲ୍ଲାରୁ ଚୀନ୍, ଜାପାନ ଓ ଅନ୍ୟାନ ଦେଶକୁ ଲୁହାପଥର ରପ୍ତାନି ହୋଇଥାଏ। ଟ୍ରକ୍ ଯୋଗେ ବିଭିନ୍ନ ଖଣିରୁ ଲୁହାପଥରକୁ ପାରାଦୀପ, ଗୋପାଳପୁର, ହଳଦିଆ ବନ୍ଦର ପର୍ଯ୍ୟନ୍ତ ପରିବହନ କରାଯାଇଥାଏ। ଏହାଛଡ଼ା ଜିଲ୍ଲା ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ପ୍ଲାଣ୍ଟକୁ ମଧ୍ୟ ଖଣିରୁ ଲୁହାପଥର ଟ୍ରକ୍ ଯୋଗେ ଯାଇଥାଏ। କିଛି ବର୍ଷ ତଳେ ବିଭିନ୍ନ କମ୍ପାନି ଟ୍ରେନ୍ରେ ଲୁହାପଥର ପରିବହନ ଆରମ୍ଭ କରିଦେଲେ। ଏହାଦ୍ବାରା ଟ୍ରକ୍ ବ୍ୟବସାୟ ପ୍ରଭାବିତ ହେଲା। ଜିଲ୍ଲାରେ ଥିବା ୮ଟି ଟ୍ରକ୍ ମାଲିକ ସଂଘ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶେଷରେ ପ୍ରଶାସନ ରେଳ ଓ ଟ୍ରକ୍ରେ ଖଣିଜ ପରିବହନର ରେସିଓ ନିର୍ଦ୍ଧାରଣ କଲେ। ଏହାପରେ ଏସାର୍ ଷ୍ଟିଲ (ବର୍ତ୍ତମାନର ଆର୍ସେଲର ମିତ୍ତଲ ନିପନ ଷ୍ଟିଲ) ଏବଂ ବିଆର୍ପିଏଲ୍ ଭଳି କମ୍ପାନି ସ୍ଲରି ପାଇପ୍ଲାଇନ୍ରେ ଲୁହାପଥର ପରିବହନ ଆରମ୍ଭ କଲେ। ବର୍ତ୍ତମାନ ଆଉ ଏକ କମ୍ପାନି ସ୍ଲରି ପାଇପ୍ଲାଇନ୍ କାମ କରୁଥିବା ବେଳେ ଆଉ କିଛି ପାଇପ୍ଲାଇନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଲେଣି। ଏଭଳି ହେଲେ ପାଇପ୍ଲାଇନ୍ରେ ବିପୁଳ ପରିମାଣରେ ଲୁହାପଥର ପରିବହନ ହେବ। ଏଥିପାଇଁ ସ୍ବଳ୍ପ କର୍ମଚାରୀଙ୍କ ଆବଶ୍ୟକ ପଡ଼ିବ। ଖଣିଜ ପରିବହନ ପାଇଁ ଟ୍ରକ୍ର ଆବଶ୍ୟକତା ରହିବ ନାହିଁ।
ସେହିପରି ଯେଉଁମାନଙ୍କର ପାଇପ୍ଲାଇନ୍ ନାହିଁ ସେମାନେ ନିଜ ପ୍ଲାଣ୍ଟକୁ ଲୁହାପଥର ପରିବହନ ଟ୍ରକ୍ ଉପରେ ନିର୍ଭର କରୁଥିଲେ। ଗତବର୍ଷ କୌଶଳକ୍ରମେ କିଛି କମ୍ପାନି ଯୋଡ଼ା, ବଡ଼ବିଲ ଅଞ୍ଚଳରେ ଥିବା ଖଣିରୁ ବାହାର ରାଜ୍ୟର ଟ୍ରେଲର ମାଧ୍ୟମରେ ଲୁହାପଥର ପରିବହନ ଆରମ୍ଭ କରିଥିଲେ। ସ୍ଥିତି ଏମିତି ହେଲା ଯେ, ସ୍ଥାନୀୟ ଅଞ୍ଚଳର ଟ୍ରକ୍ ଗୁଡ଼ିକ ଲୋଡିଂ ନପାଇ ରାସ୍ତାକଡ଼ରେ ଛିଡ଼ା ହେଲେ। ଟ୍ରକ୍ ମାଲିକମାନେ ହଇରାଣ ହେଲେ। ଅର୍ଥ ଲଗାଣକାରୀ ସଂସ୍ଥାମାନେ କିସ୍ତି ନ ପାଇ ଟ୍ରକ୍ ଗୁଡ଼ିକୁ ଜବତ କରିନେଲେ। ଏବେ ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ପଙ୍ଗୁ କରିଦେବା ପାଇଁ ଷଡ଼୍ଯନ୍ତ୍ର ଆରମ୍ଭ ହୋଇଛି। ଖଣିଜ ପରିବହନ ପାଇଁ ଓଏମ୍ସି ଟ୍ରକ୍ ମାଲିକ ସଂଘ ପରିବର୍ତ୍ତେ ସିଧାସଳଖ କ୍ରେତାଙ୍କୁ ବାରକୋଡ୍ ଦେବା ଆରମ୍ଭ କରିଛି। ଏହାଦ୍ବାରା ଜିଲ୍ଲାରେ ଖଣିଜ ପରିବହନକୁ ଦୀର୍ଘ ୩୮ ବର୍ଷ ହେଲା ନିୟନ୍ତ୍ରଣ କରିଆସୁଥିବା ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିଜ ଅସ୍ତିତ୍ବ ହରାଇବ। କ୍ରେତାମାନେ ମନଇଚ୍ଛା ଭଡ଼ା ନିର୍ଦ୍ଧାରଣ କରିବା ସହ ରାଜ୍ୟ ବାହାର ଟ୍ରକ୍ ଓ ଟ୍ରେଲର ସାହାଯ୍ୟରେ ଖଣିଜ ପରିବହନ କରିବେ। ଜିଲ୍ଲାର ଟ୍ରକ୍ ମାଲିକମାନେ ଜୀବିକା ହରାଇବେ। ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଟ୍ରକ୍ ଡ୍ରାଇଭର ଓ ହେଲପର୍ମାନେ ଦାଦନ ଯିବାକୁ ବାଧ୍ୟ ହେବେ।
ଏନେଇ ଟ୍ରକ୍ ମାଲିକ ମୃତ୍ୟୁଞ୍ଜୟ ମହାନ୍ତ କହିଛନ୍ତି ସରକାରଙ୍କ କାମ ହେଲା ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଦେବା। ସରକାର ଶିକ୍ଷିତ ଯୁବବର୍ଗଙ୍କୁ କର୍ମସଂସ୍ଥାନ ତ ଦେଉନାହାନ୍ତି; ସେମାନଙ୍କ ବଞ୍ଚିବା ପାଇଁ ଥିବା ସମସ୍ତ ବାଟକୁ ବନ୍ଦ କରିଦେଉଛନ୍ତି। ତେଲିଆ ମୁଣ୍ଡରେ ତେଲ ଢାଳିବା ପରି ବଡ଼ବଡ଼ କମ୍ପାନିଙ୍କ ସୁବିଧା କରୁଛନ୍ତି। ସେହିପରି ଟ୍ରକ୍ ଡ୍ରାଇଭର ଦିଲେଶ୍ବର ସାହୁ କହିଛନ୍ତି, ରାଜ୍ୟ ସରକାର କିଛି ଶିଳ୍ପପତିଙ୍କ ଇସାରାରେ ଗରିବ ଲୋକଙ୍କ ପେଟକୁ ଲାତ ମାରିବାକୁ ପଛାଉ ନାହାନ୍ତି। ସରକାର ଏ ଦିଗରେ ଗଭୀରତାର ସହ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।