ସମ୍ବଲପୁର: ଗୁରୁବାର ରାତି ଅଢ଼େଇଟାରେ ସମ୍ବଲପୁର ଟାଂଗରପାଲି ରେଲେଓ୍ଵ ବ୍ରିଜ୍ ପାଖରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ହୀରାକୁଦ ଲରିଆପଡ଼ାର କୃଷ୍ଣ କନଓ୍ଵର(୧୯), ରାଜାପଡ଼ାର ସତ୍ୟବ୍ରତ ନାୟକ(୨୭) ଓ ସାହାଜବାହାଲର ସନାତନ ମହାନନ୍ଦ(୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ହୀରାକୁଦ ଏଫ୍ସିଆଇ ପାଖ ନୂଆଗୁଜାତଳର କୃଷ୍ଣ ବେହେରା(୧୯), ସାହାଜବାହାଲ ସ୍କୁଲପଡ଼ାର ସୁନୀଲ ମିର୍ଦ୍ଧା(୨୨), ମନୋଜ ମିର୍ଦ୍ଧା(୨୮), ହୀରାକୁଦ ସହରର ରାଜକୁମାର ମିର୍ଦ୍ଧା(୨୧), ବସନ୍ତ ସିଂ(୨୮) ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ମୀପୂଜା ଅବସରରେ ହୀରାକୁଦର କଳାକାରମାନେ ପଡ଼ିଆବାହାଲ ପାଖ ସାହାଜବାହାଲ ଗାଁକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯାଇଥିଲେ। ନିଜ ସହରର କଳାକାରମାନଙ୍କ କାର୍ଯ୍ୟକ୍ରମ ଦେଖିବା ପାଇଁ ହୀରାକୁଦର ଉପରୋକ୍ତ ଯୁବକମାନେ ଏକ ମାରୁୁତି ଇକୋ କାର୍(ଓଡି୧୫ଜି-୯୨୦୮) କାର୍ ଯୋଗେ ଗୁରୁବାର ରାତିରେ ସାହାଜବାହଲକୁ ଯାଇଥିଲେ। ସାହାଜବାହାଲ ପଟୁ ତୀବ୍ର ଗତିରେ ଫେରୁଥିବା ବେଳେ ସମ୍ବଲପୁର ସରଲାକାନି ଛକ ନିକଟ ଟାଂଗରପାଲି ବ୍ରିଜ୍ ପାଖ ହମ୍ପସ ନିକଟରେ ଗାଡ଼ି ଭାରସାମ୍ୟ ହରାଇଥିଲା। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ (ଓଆର୍ ୨୧-୭୯୫୫)ରେ ପିଟି ହୋଇଥିଲା। କାର୍ର ସମ୍ମୁଖ ଭାଗ ଏକଦମ୍ ଚୁର୍ମାର ହୋଇଯାଇଥିଲା। ଏପରିକି କାର୍ର ସିଟ୍ ଗଦି ଭାଂଗି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ଧନୁପାଲି ପୁଲିସ ତୁରନ୍ତ ସେଠାରେ ପହଂଚି ଥିଲା। ଗାଡ଼ି ମାଲିକ ତଥା ଚାଳକ ସତ୍ୟବ୍ରତ ନାୟକ ଚାପି ହୋଇଥିଲେ। ଶବ ବାହାର କରିବା ପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆ ଯାଇଥିଲା। ବହୁ କଷ୍ଟରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ଗୁରୁତର ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି। ସତ୍ୟବ୍ରତଙ୍କ ଏକ ବର୍ଷର ଏକ ଛୋଟ ସନ୍ତାନ ରହିଛି। କୃଷ୍ଣ ବେହେରାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଦୁର୍ଘଟଣାକୁ ହୀରାକୁଦ ସହରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଟ୍ରକ-କାର୍ ଧକ୍କା, ୩ ମୃତ, ୫ ଗୁରୁତର
ହୀରାକୁଦରେ ଶୋକାକୁଳ ପରିବେଶ
/sambad/media/post_attachments/wp-content/uploads/2017/12/Untitled-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)