ହରିଚନ୍ଦନପୁର/ପଣ୍ଡାପଡ଼ା: କେନ୍ଦୁଝର-ହରିଚନ୍ଦନପୁର ରାସ୍ତାର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଉକୁଚାବେଡ଼ା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ମୁଁହାମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ହରିଚନ୍ଦନପୁର ବ୍ଲକ୍‌ ବକ୍ସିବାରିଗାଁ ଗ୍ରାମର ଯଦୁନାଥ ରାଉତଙ୍କ ପୁଅ ଅନିଲ (୨୧) ଓ ଦୀପକ କୁମାର ନାଏକଙ୍କ ପୁଅ ଲୋକନାଥ (୨୧)।

Advertisment

ଅନିଲଙ୍କ ବଡ଼ଭଉଣୀ ଓ ଭିଣୋଇ ରାଉରକେଲା ଯିବାର ଥିଲା। ଗତକାଲି ରାତିରେ ସେମାନଙ୍କୁ ରାଉରକେଲା ବସ୍‌ରେ ବସାଇ ଅନିଲ ଓ ଲୋକନାଥ କେନ୍ଦୁଝରରୁ କାର୍‌ରେ ଗାଁକୁ ଫେରୁଥିଲେ। ଉକୁଚାବେଡ଼ା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ୟୁକଲ୍‌ପଟାସ କାଠ ବୋଝେଇ ଟ୍ରକ୍‌ ସହ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇସାଙ୍ଗ କାର୍‌ ଭିତରେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମର କେତେକ ଯୁବକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। କାର୍‌ ଭିତରେ ଚାପି ହୋଇ ରହିଥିବା ଅନିଲ ଓ ଲୋକନାଥଙ୍କୁ ବାହାର କରିବା ସମ୍ଭବ ହୋଇ ନଥିଲା। ଶେଷରେ ପଣ୍ଡାପଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର୍‌ର କାଚ ଭାଙ୍ଗିବା ସହ ଗ୍ୟାସ୍‌ କଟର ସାହାଯ୍ୟରେ ଡୋରକୁ କାଟି ଉଭୟଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ଦୁଇସାଙ୍ଗଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ କାର୍‌କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।