ଭୁବନେଶ୍ବର: ରାଜ୍ୟରେ ଚୋରାରେ କୋକ୍ କାରବାର ଚଳାଉଥିବା ଏକ ଗ୍ୟାଙ୍ଗ୍କୁ ଧରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ୨୮ ଟନ୍ କୋକ୍(ଅଷ୍ଟ୍ରେଲିଆରୁ ଆମଦାନି) ବୋଝେଇ ଟ୍ରକ୍କୁ ଜବତ କରିବା ସହ ଚାଳକକୁ ଗିରଫ କରିଛି। ଏସ୍ଟିଏଫ୍ ଟିମ୍କୁ ଚକ୍ମା ଦେଇ ମାଫିଆମାନେ ବଲେରୋ ଛାଡ଼ି ପଳାଇଛନ୍ତି। ଗିରଫ ହୋଇଥିବା ଟ୍ରକ୍ ଚାଳକ ଭଦ୍ରକ ବାଂଶଡ଼ାର ପର୍ଶୁରାମ ମହାଳିକଙ୍କ ସୂଚନା ଓ ବଲେରୋର ତଥ୍ୟ ଅନୁସାରେ ଫେରାର୍ ମାଫିଆମାନଙ୍କୁ ଠାବ କରିବାକୁ ଏସ୍ଟିଏଫ୍ ଉଦ୍ୟମ ଚଳାଇଛି। ଜବତ କୋକ୍ର ବଜାର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
ସୂଚନା ମୁତାବକ ଟ୍ରକ୍ଟି ଧାମରା ବନ୍ଦର ନିକଟରୁ ମାଲ୍ ନେଇ ଆସୁଥିଲା। ପୂର୍ବରୁ ଏହି ଖବର ଏସ୍ଟିଏଫ୍ ଟିମ୍ ହାତରେ ଲାଗିଥିବାରୁ ସେମାନେ ଭଦ୍ରକ ପୁଲିସକୁ ବି ସହଯୋଗ ପାଇଁ ଅନୁରୋଧ କରିଥିଲେ। ତେଣୁ ଯୋଜନାନୁସାରେ ଧାମରା ଚରମ୍ପା ରାସ୍ତାରେ ପୁଲିସର ୨ଟି ଟିମ୍ ଅଲଗା ଅଲଗା ହୋଇ ଛକି ରହିଥିଲେ। ରାତି ପ୍ରାୟ ସାଢ଼େ ୨ଟା ପରେ ଟ୍ରକ୍ଟି ଚରମ୍ପା ନିକଟରେ ପହଞ୍ଚିଥିବା ବେଳେ ଭଦ୍ରକ ପୁଲିସ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଟ୍ରକ୍ ଚାଳକ ଦ୍ରୁତବେଗରେ ଗାଡ଼ ଚଳାଇ ପୁଲିସକୁ ଅତିକ୍ରମ କରିଯାଇଥିଲା। ମାତ୍ର ଆଗରେ ଥିବା ଏସ୍ଟିଏଫ୍ ଟିମ୍ ଗାଡ଼ିକୁ ଅତିକ୍ରମ କରିପାରିନଥିଲା। ସେହିଭଳି ଟ୍ରକ୍କୁ ଏସ୍କର୍ଟ କରୁଥିବା ବଲେରୋରେ ଥିବା ୩ ମାଫିଆ ବି ଖସିବା ବାଟ ବନ୍ଦ ହୋଇଯିବା ଦେଖି ଗାଡ଼ି ଛାଡ଼ିପଳାଇଥିଲେ। କିନ୍ତୁ ଟ୍ରକ୍ ଚାଳକ ମହାଳିକ ଖସିପାରିନଥିଲା। ଟ୍ରକ୍ରେ ଥିବା କୋକ୍କୁ ଯାଞ୍ଚ କରିବା ପରେ ତାହା ଅଷ୍ଟ୍ରେଲିଆନ୍ ମାଲ୍ ବୋଲି ଜଣାପଡ଼ିଥିଲା। ତେଣୁ ଏହା ଧାମରା ପୋର୍ଟକୁ ଆସିଥିବା କୋକ୍ ବୋଲି ଅନୁମାନ କରାଯାଉଛି। ତଦନ୍ତ ଚାଲିଥିବାରୁ ପୁଲିସ ଏହି କୋକ୍ ଚାଲାଣ ଉପରେ ସବିଶେଷ ବିବରଣୀ ଦେଇନାହିଁ। କିନ୍ତୁ ଅଷ୍ଟ୍ରେଲିଆରୁ ଆମଦାନି ହୋଇଥିବା ଏହି କୋକ୍ ବେଆଇନ ଭାବେ କିଭଳି ମାଫିଆଙ୍କ ହାତକୁ ଆସିଲା, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ଏଭଳି କୋକ୍ ଅଷ୍ଟ୍ରେଲିଆ, ରୁଷ ଭଳି ବିଦେଶରୁ ଜାହାଜ ଯୋଗେ ବନ୍ଦରକୁ ଆସିଥାଏ।
ବଡ଼ବଡ଼ କାରଖାନା ବା ବ୍ୟବସାୟୀମାନେ ଏହାକୁ ବିଦେଶରୁ ଆମଦାନି କରିଥାଆନ୍ତି। ତେବେ ଏହା ମାଫିଆଙ୍କ ହାତକୁ କିଭଳି ଆସିଲା? ଏହା କୌଣସି ବଡ଼ଧରଣର ରୢାକେଟ୍ର କାମ କି? ଏହି ଚୋରା ଚାଲାଣ ପଛରେ କାହାର ହାତ ରହିଛି? ଏହି ଚୋରା ବ୍ୟବସାୟର ଚେର ବିଦେଶକୁ ଲମ୍ବିଛି କି? ଫେରାର୍ ହୋଇଯାଇଥିବା ମାଫିଆମାନଙ୍କୁ ଗିରଫ କରିବା ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିବ। ତେଣୁ ଗିରଫ ହୋଇଥିବା ଚାଳକ ମହାଳିକକୁ ରିମାଣ୍ଡରେ ଆଣିବାକୁ ଏସ୍ଟିଏଫ୍ ଯୋଜନା କରୁଛି। ପ୍ରକାଶ ଥାଉ କି କିଛି ଦିନ ତଳେ ଏସ୍ଟିଏଫ୍ ଓ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଚଢ଼ଉ କରି ୨ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୭୮.୫୨ ମେଟ୍ରିକ୍ ଟନ୍ ହାର୍ଡ କୋକ୍ ଜବତ କରିଥିଲା।