ଦୋକାନ ଭିତରକୁ ପଶିଲା ମାଲ ବୋଝେଇ ଟ୍ରକ, ୩ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲଠାରେ ସୋମବାର ଦିନ ୧ଟା ସମୟରେ ଭାରସାମ୍ୟ ହରାଇ ଏକ କୋଇଲା ବୋଝେଇ ଟ୍ରକ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିଲା। ଫଳରେ ୩ଜଣ  ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନେ ହେଲେ ଦୋକାନୀ ହରଭଙ୍ଗା ପଂଚାୟତ ଭେଜିଗରା ଗ୍ରାମର ଶ୍ୟାମ ସୁନ୍ଦର ସାହୁ (୬୨)। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି। ଟ୍ରକ ଡ୍ରାଇଭର ଓମ କରମ ପାଲଟି (୪୦) ଓ ହେଲପର ତିରୁପତି ରେଡି ମଧ୍ୟ ଆହତ ହୋଇଛନ୍ତି।

ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା ଟ୍ରକ୍‌ (ଏପି ୨୭ଟି ଜେଡ ୨୪୪୫)ର ଚକ ଲୁଣିବାହାଲ ବଜାର ନିକଟରେ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୋକାନ ଘର ଭିତରେ ପଶି ଯାଇ  ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ହମ୍ପସ ନିର୍ମାଣ ଦାବିରେ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର