ଜମନକିରା: ସମ୍ବଲପୁର ଜିଲ୍ଲା‌ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଢେଇସରା-କଦଳିପାଲ ଛକ ମଝିରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ କ‌ଣ୍ଟେନର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ କ‌ଣ୍ଟେନର୍‌ ଓ ଟ୍ରକ୍ ଡ୍ରାଇଭର ଜୀବନ୍ତଦଗ୍ଧ ହୋଇଥିବା ବେଳେ କଣ୍ଟେନର୍‌ ଖଲାସି ଗୁରୁତର ହୋଇଛନ୍ତି। ମୃତକ ଜଣେ ଡ୍ରାଇଭର ହେଉଛନ୍ତି ରେହେମାନ ଖାନ୍ ଏବଂ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ଆହତ ଖଲାସି ହେଉଛନ୍ତି ସାଉଦ ଖାନ୍।

Advertisment

ସୂଚନା ଅନୁଯାୟୀ, କପଡ଼ା ବୋଝେଇ (ଏନ୍‌ଏଲ୍୦୧ଏ-୫୪୨୩) କଣ୍ଟେନର୍‌ ସମ୍ୱଲପୁର ପଟୁ କୋଲକାତା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଆସୁଥିଲା। ବଡ଼କୁଣ୍ଢେଇସରା ଓ କଦଳୀପାଲ ଛକ ମଝି ସାତଗଛିଆ ଘାଟିରେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିର ଡ୍ରାଇଭର ଷ୍ଟିଅରିଂରେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ଉଭୟ ଟ୍ରକ୍‌ରେ ନିଆଁ ଲାଗି ଯାଇଥିବାରୁ ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ମିଳିଥିଲା। ତେବେ କଣ୍ଟେନର୍‌ ଖଲାସି ସାଉଦ ଖାନ୍ ଗୁରୁତର ଅବସ୍ଥାରେ ଟ୍ରକ୍‌ରୁ ଡେଇଁ ନିକଟସ୍ଥ ଜଙ୍ଗଲକୁ ପଳାଇଥିଲେ।

ପରେ ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ନିକଟସ୍ଥ ଗାଁର କିଛି ଯୁବକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଖୁବ୍ ଜୋରରେ ନିଆଁ ବ୍ୟାପିଯିବାରୁ ସେମାନେ ଲିଭାଇ ପାରି ନ ଥିଲେ। ଉଭୟ ଗାଡ଼ିର ଚକ ଓ ଡିଜେଲ ଟାଙ୍କି ଗୋଟିଏ ପରେ ଗୋଟିଏ ବୋମା ଭଳି ଫୁଟିବାକୁ ଲାଗିଥିଲା। ଅନ୍ୟପଟେ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରାୟ ଦେଢ଼ ଘଣ୍ଟା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଉଭୟ ଗାଡ଼ିର ସବୁକିଛି ଜଳି ସାରିଥିଲା।