କୋରାପୁଟ : ଦେହ ଭଲ ନ ଥିବାରୁ ବାରଣ୍ଡାରେ ଶୋଇ ପଡ଼ିଥିଲେ ଚମ୍ପା ଶଗରିଆ। ହଠାତ୍‌ ଭୂମିକମ୍ପ ପରି ଶବ୍ଦ ହେବାରୁ ଧଡପଡ ହୋଇ ଉଠିଲା ବେଳକୁ ଘରର ଅଧା ନାହିଁ। ଯେଉଁଟା ତାଙ୍କର ଶୋଇବା ଘର ଥିଲା ସେଠାରେ ଟିପ୍ପର ଛିଡା ହୋଇଛି। ଅବିଶ୍ୱାସ ଲାଗୁଥିଲେ ହେଁ, ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି କୋରାପୁଟ ସହର ଉପକଣ୍ଠ ଭବାନୀ ନଗରରେ।

Advertisment

ଆଜି ଅପରାହ୍ନ ପ୍ରାୟ ୪ଟା ବେଳକୁ କୋରାପୁଟ ପଟୁ ସୁନାବେଡା ଆଡକୁ ଯାଉଥିବା ଏବ ଟିପ୍ପର(ସିଜି-୧୭-କେଜି-୦୩୩୩) ଭାରସାମ୍ୟ ହରାଇ ଲକ୍ଷ୍ମଣ ଶଗରିଆଙ୍କ ଘରେ ପଶି ଯାଇଥିଲା। ତାଙ୍କ ଦୁଇ ବଖୁରିଆ ଘରର ପଛ ବଖରା ଉପରେ ଟିପ୍ପରଟି ମାଡି ଭାଙ୍ଗି ଦେଇଥିଲା। ଏହି ସମୟରେ ସାମ୍‌ନା ବାରଣ୍ଡାରେ ଲକ୍ଷ୍ମଣଙ୍କ ପତ୍ନୀ ଚମ୍ପା ଶୋଇଥିଲେ। ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

publive-imageଲକ୍ଷ୍ମଣଙ୍କ ଏହି ଟିଣ ଛପର ଘରେ ପଶିବା ପୂର୍ବରୁ ଟିପ୍ପରଟି ଏକ ସାଣ୍ଟ୍ରୋ କାର୍‌କୁ ପିଟି ଓଲଟାଇ ଦେଇଥିଲା। ସୌଭାଗ୍ୟବଶତଃ କାର୍‌ରେ କେହି ବସି ନ ଥିଲେ। ଦୁର୍ଘଟଣା ଖବର ପାଇ କୋରାପୁଟ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅପରପକ୍ଷରେ କ୍ଷତିଗ୍ରସ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ସ୍ଥାନୀୟ ଲୋକେ। ଟାଉନ ପୁଲିସ ଲୋକମାନଙ୍କୁ ବୁଝାସୁଝା କରିବା ସହ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।