ଜୟପୁର/ବୈପାରିଗୁଡ଼ା: ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍କୁ ଦଳି ଦେଇଛି କୁଣ୍ଡା ବୋଝେଇ ଟ୍ରକ୍। ଯାହାଫଳରେ ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ବୈପାରିଗୁଡା ଥାନା ଅନ୍ତର୍ଗତ ବିଚଲକୋଟା ଗ୍ରାମର ଧୋବା ପରଜା (୩୫), ଲୋକିନାଥ ପରଜା (୧୭), ମହୁଲି ଉନ୍ନୀତ ଉଚ୍ଚବିଦ୍ୟାଳୟର ଷଷ୍ଠ ଛାତ୍ର ଧନୁର୍ଜ୍ୟୟ ପରଜା ଏବଂ ନବମ ଛାତ୍ର ଘାସିରାମ ପରଜା ବୋଲି ଜଣାପଡ଼ିଛି।
ଧାନ କଟା ଆରମ୍ଭ ହୋଇଥିବା ଧୋବା ନିଜ ପୁଅ ଘାସିରାମ, ପୁତୁରା ଧନୁର୍ଜ୍ୟୟ ସହ କିଛି ଦିନ ହେଲା ମୂଲ ଲାଗିବାକୁ ଭଟାଛିଞ୍ଚି ଅଞ୍ଚଳକୁ ଯାଉଥିଲେ। ଆଜି ସକାଳ ପ୍ରାୟ ୭ଟାରେ ବାଇକ୍ (ଓଡି-୧୦ଏ-୭୪୬୯) ଯୋଗେ ତିନି ଜଣ ଭଟାଛିଞ୍ଚି ଅଭିମୁଖେ ବାହାରିଥିଲେ। ତେବେ ସେମାନଙ୍କ ସହ ଆଜି ସଂପର୍କୀୟ ଲୋକିନାଥ ମଧ୍ୟ କାମ କରିବାକୁ ବାହାରିଥିଲା। ଜବାକନାଡ଼ି ନିକଟରେ ବାଇକ୍କୁ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା କୁଣ୍ଡା ବୋଝେଇ ଟ୍ରକ୍ (ଏପି-୧୬ଜେ-୪୬୭୨) ଧକ୍କା ଦେଇଥିଲା। କିଛି ଦୂର ପର୍ଯ୍ୟନ୍ତ ବାଇକ୍କୁ ଘୋଷାରି ନେଇଥିଲା। ଏହାପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲା ବେଳେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ମିଳିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରି ପ୍ରବଳ ହୋହାଲ୍ଲା କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଠପ୍ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା।
ଜବାକନାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବାପା, ପୁଅ, ପୁତୁରା ସମେତ ସ˚ପର୍କୀୟଙ୍କ ମୃତ୍ୟୁ
କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
ଜୟପୁର ସଦର ଥାନା ପୁଲିସ ଓ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ୬ଘଣ୍ଟା ପରେ ପରିସ୍ଥିତି ସ୍ବାଭାବିକ ହେବା ସହ ରାସ୍ତା ଅବରୋଧ ହଟିଥିଲା। ଟ୍ରକ୍ ମାଲିକ ଆନ୍ଧ୍ର ଅଞ୍ଚଳର ହୋଇଥିବା ଯୋଗୁ ସେ ଆସିବା ପରେ କ୍ଷତିପୂରଣ ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପ୍ରତି ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ରେଡକ୍ରସ୍ ତରଫରୁ ଦିଆଯିବ ବୋଲି ଜୟପୁର ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି। ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ। ଅନ୍ୟପକ୍ଷରେ ପୁଅ ଓ ନାତିକୁ ହରାଇ ସର୍ବହରା ହୋଇଯାଇଛନ୍ତି ବୃଦ୍ଧା କୌଶଲ୍ୟା ପରଜା। ବାର୍ଦ୍ଧକ୍ୟରେ ପୁଅ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ। ବର୍ତ୍ତମାନ କୌଶଲ୍ୟାଙ୍କ ପରିବାର କହିଲେ କେବଳ ବିଧବା ବୋହୂ। ସାମାନ୍ୟ ଅସାବଧାନତା ସହ ନିୟମ ଉଲ୍ଲଂଘନ ଗୋଟିଏ ପରିବାରକୁ ଏକପ୍ରକାର ଉଜାଡ଼ି ଦେଇଛି। କାରଣ ଗୋଟିଏ ବାଇକ୍ରେ ୪ଜଣ ଯାତ୍ରା କରୁଥିଲା ବେଳେ ହେଲେମେଟ୍ ସୁଦ୍ଧା ଚାଳକ ପିନ୍ଧି ନଥିଲେ।