ଦେଖନ୍ତୁ, କିପରି ବାଲିଘାଟକୁ ବାଲି ନେବାକୁ ଆସି ଭାସିଗଲା ୫ଟି ହାଇଓ୍ଵା; ଅଳ୍ପକେ ବର୍ତ୍ତିଲା ଚାଳକ ଓ ଅନ୍ୟକର୍ମଚାରୀଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲି ଥାନା ମୂଳାପାଳ ପଞ୍ଚାୟତ ଅନ୍ତର୍ଗତ ରଣପାଳ ବାଲିଘାଟରେ ଶନିବାର ସକାଳେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ରଣପାଳ ବାଲିଘାଟର ଶୁଖିଲା ନଦୀ ମଝିକୁ  ୫ଟି ହାଇଓ୍ଵା ବାଲି ଆଣିବା ପାଇଁ ଯାଇଥିବା ବେଳେ ନଦୀରେ ହଠାତ ପାଣି ଆସିଯିବାରୁ ସେଗୁଡ଼ିକ ସମ୍ପୂର୍ଣ ପାଣିରେ ବୁଡି ଯାଇଛି।

ସୂଚନାଯୋଗ୍ୟ, ତେବେ ରଣପାଳ ବାଲିଘାଟକୁ ବ୍ୟାସନଗର ତହସିଲ ପକ୍ଷରୁ ନିଲାମ ଦିଆଯାଇଥିଲା ବେଳେ ଗେଟ ଖୋଲିବା ନେଇ ଘାଟ ନିଲାମଧାରୀଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା। ଉପର ମୁଣ୍ଡରେ ପାଣି ଅଧିକ ହେବାରୁ ଆଜି ସକାଳେ ଆଖୁଆପଦା ଜଳ ସମ୍ପଦ ବିଭାଗ ପକ୍ଷରୁ ଗେଟ ଖୋଲି ଦିଆ ଯାଇଥିଲା। ଫଳରେ ଗତକାଲି ରାତିରୁ ବାଲି ପାଇଁ ରହିଥିବା ୫ଟି ହାଇଓ୍ଵା ଟ୍ରକ୍‌ ପାଣିରେ ଭାସି ଯାଇଥିଲା। ହଠାତ ପାଣି ମାଡି ଆସୁଥିବା ଦେଖି ୫ଜଣ ହାଇଓ୍ଵା ଚାଳକ ଓ ଖଲାସି ଭୟରେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। । ସୌଭାଗ୍ୟବଶତଃ ଏମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା।

ଏହି ଘଟଣା ପ୍ରଘଟ ହେବା ପରେ ଟ୍ରକ୍‌ ପାଣିରେ ଭାସିଯାଉଥିବାର ଦୃଶ୍ୟ ଦେଖିବା ପାଇଁ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମି ଯାଇଥିଲା। କିଛିଲୋକ ଛିଡ଼ା ହୋଇ ଏହି ଦୃଶ୍ୟକୁ ନିଜନିଜ ଫୋନରେ‌ କୈଦ୍‌ କରିବାକୁ ବି ଲାଗିଥିଲେ।

ଏବେ ସୂଚନା ମିଳିବା ପରେ ଜଳ ସମ୍ପଦ ବିଭାଗ ଖୋଲିଥିବା ୪ଟି ଗେଟକୁ ବନ୍ଦ କରିଥିଲେ ମଧ୍ୟ ପାଣି କମିବାକୁ ୭ଘଣ୍ଟା ସମୟ ଲାଗିବ ବୋଲି ପ୍ରକାଶ କରିଛନ୍ତି। ପାଣି କମିଲେ ଗାଡିଗୁଡିକୁ ଉଦ୍ଧାର କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

ତେବେ ଏ ଅଞ୍ଚଳ ଯାଜପୁର ଓ ଭଦ୍ରକ ସୀମାନ୍ତ ଅଞ୍ଚଳ ତଥା ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ବି କାହା ଅନୁମତିରେ ଏହି ୫ଟି ହାଇଓ୍ଵା ଚାଳକ ଲିଙ୍ଗେଶ୍ୱର ଘାଟକୁ ବାଲି ନେବାକୁ ଆସିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ସମ୍ବନ୍ଧିତ ଖବର