ମହାକାଳପଡ଼ାରେ ବିଦ୍ୟୁତ୍‌ ଅଘଟଣ : ୧୧ କେଭି ତାର ନେଲା ଟ୍ରକ୍ ଚାଳକଙ୍କ ଜୀବନ

କେନ୍ଦ୍ରାପଡ଼ା/ମହାକାଳପଡ଼ା : ଗଂଜାମ ଜିଲ୍ଲା ରଙ୍ଗେଇମୁଣ୍ଡା ବ୍ଲକ୍ ମେଣ୍ଢାରାଜପୁର ଡଙ୍କଲପାଡ଼ୁ ଅଘଟଣରୁ କିଛି ବି ଶିଖିଲେନି। ବସ୍‌ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ପ୍ରାଣହାନି ଘଟିବାର ଗୋଟିଏ ସପ୍ତାହ ନ ପୂରୁଣୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଅନୁରୂପ ଘଟଣା ଘଟିଛି। ବିପଜ୍ଜନକ ତାର ଯୋଗୁ ରାମନଗର ପଞ୍ଚାୟତ ବରଜ ବାହାକୁଦ ଗ୍ରାମରେ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ଜଣକ ହେଉଛନ୍ତି ପ୍ରଭାତ ସେଠୀ ଓରଫ୍‌ ବୁଲୁ(୩୫)। ଏହି ଘଟଣା ବିଦ୍ୟୁତ୍ ବିଭାଗର ଅବହେଳାକୁ ପୁଣି ପଦାକୁ ଟାଣି ଆଣିଛି। ଡଙ୍କଲପାଡ଼ୁ ଅଘଟଣ ପରେ ସରକାର ବିପଜ୍ଜନକ ତାରକୁ ହଟାଇବା ପାଇଁ ନିର୍ଦେଶ ଦେଇଥିବା ବେଳେ ମହାକାଳପଡ଼ାରେ ତାର ଲାଗି ଜଣଙ୍କ ଜୀବନ ଯିବା ଘଟଣା ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି।

ସୂଚନାନୁଯାୟୀ, ବୁଲୁ ଆଜି ସକାଳ ପ୍ରାୟ ୯ଟା ବେଳେ ହାଇୱା(ଓଆର୦୪ଏମ୍‌-୧୮୧୫)ରେ ବାଲି ବୋଝେଇ କରି କଂସାର-ବଡ଼ଦା‌ଣ୍ଡୁଆ ପଞ୍ଚାୟତର ତରପଦା ଗାଁ ରାସ୍ତା ଦେଇ ଯାଉଥିଲେ। ଟିଭି କେବୁଲ ଓହଳି ପଡ଼ିଥିବା ଯୋଗୁ ହାଇୱା ଯାଇ ନ ପାରି ରାସ୍ତାରେ ଅଟକିଥିଲା। ବୁଲୁ ତଳକୁ ଓହ୍ଲାଇ କେବୁଲକୁ ଉପରକୁ ଉଠାଇ ଟ୍ରକ୍ ଆଗକୁ ନେବା ପାଇଁ ଉଦ୍ୟମ କରୁଥିଲେ। ମାତ୍ର ଏହି ସମୟରେ ୧୧କେଭି ତାର ସଂସ୍ପର୍ଶରେ ଆସିଯିବାରୁ ସେ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାବର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। କେନ୍ଦ୍ରାପଡ଼ା ଅଣାଯାଉଥିବା ବେ‌ଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ନେଇ ତନ୍ତିଆପାଳ ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି। ତେବେ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏ ପ୍ରକାର ଅଘଟଣ ଘଟିଥିବା ଦର୍ଶାଇ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗ୍ରାମବାସୀ ଏଥିପାଇଁ ବିଦ୍ୟୁତ୍ ବିଭାଗକୁ ଦାୟୀ କରିବା ସହ ବିଦ୍ୟୁତ୍ ଖୁଣ୍ଟରେ କେବୁଲ୍ ତାର ଟଣାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି କେବୁଲ ଯୋଗୁ ବିଦ୍ୟୁତ ତାର ତଳକୁ ଓହଳି ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର