ଜଙ୍ଗଲ ଭିତରେ ଚାଳକଙ୍କୁ ଗଛରେ ବାନ୍ଧି ଟ୍ରକ୍‌ ନେଇଗଲେ ଦୁର୍ବୃତ୍ତ, ଜଙ୍ଗଲରୁ ଉଦ୍ଧାର କଲେ ଗାଁ ଲୋକେ

କାମାକ୍ଷାନଗର: ସୀମା ଟପିଲାଣି ଲୁଟ୍‌ର ତରିକା। ଜଣେ ଟ୍ରକ୍‌ ଚାଳକଙ୍କୁ ଦୁର୍ବୃତ୍ତମାନେ ଜଙ୍ଗଲରେ ଗଛରେ ବାନ୍ଧି ଦେଇଛନ୍ତି। ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ଜଙ୍ଗଲରେ ବାନ୍ଧି କୋଇଲା ବୋଝେଇ ଟ୍ରକ୍‌ ଲୁଟି ନେଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ ଦ୍ବାର। ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ଏକ ବୋଲେରୋ ଓ ୪ଟି ବାଇକରେ ୬ ଜଣ ଦୁର୍ବୁତ୍ତ ଆସି କାମାକ୍ଷାନଗର ଥାନା ବଡମୁକ୍ତାପଶି ନିକଟରେ କୋଇଲା ବୋଝେଇ ଟ୍ରକ୍‌କୁ ଅଟକାଇ ଥିଲେ। ଟ୍ରକଟି ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ହିଙ୍ଗୁଳା ମାଇନ୍ସରୁ ଯାଜପୁର ଜିଲ୍ଲା ଡୁବୁରୀ ଅଭିମୁଖେ କୋଇଲା ନେଇ ଯାଉଥିଲା। ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ବଡ଼ମୁକ୍ତାପଶି ନିକଟରେ ଟ୍ରକକୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ଦେବଗଡ଼ ଜିଲ୍ଲା ନିବାସୀ ଟ୍ରକ୍‌ ଚାଳକ ବେଣୁଧର ଭୋଇଙ୍କୁ ଜଙ୍ଗଲରେ ଏକ ଗଛରେ ବାନ୍ଧି ଦେଇଥିଲେ। ପରେ ସେମାନେ ଟ୍ରକ୍‌କୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ।

ଟ୍ରକ୍‌ ଚାଳକ ବେଣୁଧର ରାତିସାରା ସେମିତ ଗଛରେ ବନ୍ଧା ହୋଇଥିଲେ।  ଆଜି ସକାଳୁ ସ୍ଥାନୀୟ ଯମୁନାକୋଟର ମଙ୍ଗରାଜ ପାତ୍ର ଓ ଅନ୍ୟମାନେ ଜଙ୍ଗଲକୁ ଯାଇଥିବା ବେଳେ ବେଣୁଧରକୁ ଗଛରେ ବନ୍ଧା ହୋଇଥିବା ଦେଖିଥିଲେ। ଗାଁ ଲୋକେ ବେଣୁଧରଙ୍କୁ ସେଠାରୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଛନ୍ତି। ବେଣୁଧର କହିଛନ୍ତି ଯେ, ତାଙ୍କ ଠାରୁ ଦୁର୍ବୃତ୍ତମାନେ ମୋବାଇଲ, ଟଙ୍କା ଆଦି ଲୁଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର