ଟ୍ରକ ଡ୍ରାଇଭରଙ୍କୁ ହତ୍ୟା

ଯଖପୁରା/ଦାନଗଦୀ: ଯଖପୁରା ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ନିକଟରେ ଆଜି ଜଣେ ଟ୍ରକ ଡ୍ରାଇଭରକୁ ହତ୍ୟା କରାଯାଇଛି। ସେ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ଗ୍ରାମର ସୁକଦେବ ଧଳଙ୍କ ପୁଅ ସନ୍ତୋଷ ଧଳ(୩୫)। ଯଖପୁରା ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ସନ୍ତୋଷ ଗତକାଲି ରାତି ୯ଟା ବେଳେ ୧୨ ଚକିଆ ଟ୍ରକ(ଓଡି୦୬-ସି-୩୩୨୧)ରେ ତାଳଚେରରୁ କୋଇଲା ବୋଝେଇ କରି ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ଫେକର ପ୍ଲାଣ୍ଟକୁ ଯାଇଥିଲେ। ଆଜି ସକାଳୁ ଗାଡ଼ି ଖାଲି କରି ଫେରିବା ବେଳେ ଜିନ୍ଦଲ କାରଖାନା ନିକଟ ବସ୍ତିର ନଳକୂଅରେ ଗାଧୋଇ ଥିଲେ। ଏହି ସମୟରେ ଜିନ୍ଦଲ ରେଳ ଧାରଣା ଉପରେ ବସିଥିବା ୬ଜଣ ଯୁବକ ଆସି ସନ୍ତୋଷକୁ ପଚରାଉଚରା କରିବା ସହିତ ଝଗଡ଼ା କରିଥିଲେ। ପରେ ଉତ୍ତ୍ୟକ୍ତ ଯୁବକମାନେ ସନ୍ତୋଷକୁ ଟେକାପଥର ଫିଙ୍ଗିବା ସହିତ ବିଧା ଗୋଇଠା ମାରିଥିଲେ। ସନ୍ତୋଷ ଚେତାଶୂନ୍ୟ ହେବା ପରେ ସେମାନେ ତାକୁ ଛାଡି ଚାଲିଯାଇଥିଲେ। ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲ୍‌ପରର ବୟାନକୁ ଭିତ୍ତିକରି ଯଖପୁରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟାର କାରଣ ଜଣାପଡି ନଥିବା କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା କହିଛନ୍ତି। ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଯଖପୁରା ପୁଲିସ ଥାନାରେ ରଖି ପଚରାଉଚୁରା ଜାରି ରଖିଛି।

ସମ୍ବନ୍ଧିତ ଖବର