ସର୍ତ୍ତ ମାନୁନି କୋଇଲା ବୋଝେଇ ଟ୍ରକ, ଜିଲ୍ଲାପାଳଙ୍କୁ ଫେରାଦ ହେଲା ଜନଶକ୍ତି ପରିଷଦ

ସୁନ୍ଦରଗଡ଼: ଜନଶକ୍ତି ବିକାଶ ପରିଷଦର ଆନ୍ଦୋଳନ ଓ ମାମଲା ଦାଏର ପରିପ୍ରେକ୍ଷିରେ ହାଇକୋର୍ଟଙ୍କ ଆଦେଶକ୍ରମେ ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା ଓ ଅନ୍ୟ ଖଣିଜ ଦ୍ରବ୍ୟ ବୋଝେଇ ଭାରୀଯାନଗୁଡ଼ିକ ଶହେ ମିଟର ବ୍ୟବଧାନରେ ୨୦ କିଲୋମିଟର ବେଗରେ ଯାତାୟତ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ଅଞ୍ଚଳରେ କୋଇଲା ପରିବହନରେ ନିୟୋଜିତ ଗାଡ଼ିଗୁଡ଼ିକ ପ୍ରଦୂଷଣ ଓ ଦୁର୍ଘଟଣାର କାରଣ ହୋଇଥିବାରୁ ଏହାକୁ ହ୍ରାସ କରିବା ପାଇଁ ଜିଲ୍ଲାପାଳ ଗାଡ଼ିଗୁଡ଼ିକର ଯାତାୟତ ଉପରେ ଏ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ବହୁ ସମୟରେ ଗାଡ଼ିଗୁଡ଼ିକୁ ଏହାଟର ଖୋଲାଖୋଲି ଅବମାନନା କରୁଥିବା ଅଭିଯୋଗ ହୋଇଛି।

ଦ୍ରୁତ ଓ ବେପରୱା ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଛି। ଆଜି ଜନଶକ୍ତି ବିକାଶ ପରିଷଦ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପରିଷଦ ଉଲ୍ଲେଖ କରିଛି ଯେ, କୋଇଲା ପରିବହନ ସମୟରେ ସର୍ତ୍ତ ମୁତାବକ ଟ୍ରକକୁ ତାରପୋଲିନରେ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବା କଥା। କିନ୍ତୁ ଟ୍ରକଗୁଡ଼ିକ ଖୋଲାରେ କୋଇଲା ପରିବହନ କରୁଛି। ସେହିପରି ବାଙ୍କିବାହାଲରୁ ଟପରିଆ ରାସ୍ତାରେ ନିୟମିତ ଜଳସିଞ୍ଚନ ପାଇଁ ଥିବା ନିର୍ଦ୍ଦେଶକୁ ବି ଅବମାନନା କରାଯାଇଛି। ଆଉ ଏସବୁ କାରଣରୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇଛି। ଅଞ୍ଚଳର ୭୦ ହଜାର ଲୋକେ ଏହା ଦ୍ବାରା ଭୀଷଣ ପ୍ରଭାବିତ ହୋଇଛନ୍ତି।

କରୋନା ମହାମାରୀର କାଳ ବେଳାରେ ପ୍ରଦୂଷଣ ଲୋକଙ୍କ ଯନ୍ତ୍ରଣାକୁ ଦ୍ବିଗୁଣିତ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରି ବହୁ ପ୍ରଭାବିତ ଛତିଶଗଡ଼ ସୀମାକୁ ସିଲ୍ କରି ଦିଆଯାଇଥିବା ବେଳେ ଏମସିଏଲରୁ କୋଇଲା ନେଇ ଛତିଶଗଡ଼ ଜେଏସପିଏଲକୁ ନିୟମିତ ଯାତାୟତ କରୁଥିବା ଡ୍ରାଇଭରମାନେ ହିଁ କରୋନା ସଂକ୍ରମଣର ବାହକ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ପରିଷଦ ପ୍ରକାଶ କରିବା ସହ ଏସ୍ଥିତିରେ ସର୍ତ୍ତ ଖିଲାପକାରୀଙ୍କ ବିରୋଧରେ ପୁଲିସ ମଧ୍ୟ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରିଛି। ଅନ୍ୟପଟେ ସର୍ତ୍ତ ଅନୁସାରେ କୋଇଲା ଗାଡ଼ି ଚଳାଚଳ କରିବାକୁ ଅନୁରୋଧ କରିଥିବା ପରିଷଦ ସଦସ୍ୟମାନଙ୍କୁ ଟ୍ରାନ୍ସପୋର୍ଟର ଜୀବନରେ ମାରିଦେବାର ଧମକ ଦେଇଥିବା ଅଭିଯୋଗ ଆଣିଛି ପରିଷଦ। ଏସ୍ଥିତିରେ ସର୍ତ୍ତ ଓ ବୁଝାମଣା ଅନୁସାରେ ସ୍ଥାନୀୟ ଜନଜୀବନର ସୁରକ୍ଷା ପାଇଁ ଅବମାନନା କରୁଥିବା ଟ୍ରାନ୍ସପୋର୍ଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ଦାବି କରିଛି।

ସମ୍ବନ୍ଧିତ ଖବର