ଖମାର: ୧୪୯ ନମ୍ବର ଜାତୀୟ ରାଜପଥରେ ଖମାର ଥାନା ବନର ଗାଁ ନିକଟରେ ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଏକ କୋଇଲା ବୋଝେଇ ଟ୍ରକ୍‌ର କ୍ୟାବିନ୍ ଓ ଇଂଜିନ୍‌ ପୋଡ଼ି ଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କୋଇଲା ଧରି ପାଳଲହଡ଼ାଆଡ଼କୁ ଯାଉଥିବା ଏକ ଟ୍ରକ୍‌ (ସିଜି-୨୨ଡବ୍ଲ୍ୟୁ- ୫୩୬୭) ବନର ଢାବା ନିକଟ ଏକ ଟାୟାର ମରାମତି ଦୋକାନ ପାଖରେ ଛିଡ଼ା କରାଯାଇଥିଲା। ଏହି ସମୟରେ ଟ୍ରକ୍‌ କ୍ୟାବିନ୍‌ ଭିତରେ ଷ୍ଟୋଭ୍‌ରେ ରୋଷେଇ କରାଯାଉଥିଲା। ହଠାତ୍‌ ଟ୍ରକ୍‌ ଇଂଜିନ୍‌ ଓ କ୍ୟାବିନ୍‌ ଜଳିଥିଲା। ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେମାନେ ନିଆଁକୁ ଆୟତ୍ତ କରିପାରି ନଥିଲେ। ପାଳଲହଡ଼ା ଦମକଳ ବାହିନୀ, ଖମାର ଥାନାଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ନିଆଁ ଲିଭାଇଥିଲେ। ଟ୍ରକ୍‌ରେ ଥିବା କୋଇଲା ସୁରକ୍ଷିତ ରହିଛି। ଘଟଣା ସଂପର୍କରେ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି।