କାର୍‌ ଉପରେ ଓଲଟିଲା ଟ୍ରକ୍‌; ବର୍ତ୍ତିଗଲେ ଯାତ୍ରୀ

କଳାବାଡ଼ିଆ : ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟିରେ ଆଜି ସକାଳେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା। ଏକ କାର୍‌ (ଏମଏଚ୍‌-୧୨ କେଏନ-୯୦୪୪) ଘାଟି ରାସ୍ତାରେ ଛିଡ଼‌ା ହୋଇଥିବା ବେଳେ ନାସିକରୁ କଲିକତା ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍‌(ଏମଏଚ୍‌-୨୧-ଏକ୍ସ-୭୧୯୯) ଭାରସାମ୍ୟ ହରାଇ ହଠାତ୍‌ ଛିଡ଼ା ହୋଇଥିବା କାର୍‌ ଉପରେ ଓଲଟି ପଡ଼ିଥିଲା। କାର୍‌ଟି ଏମିତି ଚାପିଗଲା ଯେ ଦୂରରୁ ଯେ କେହି ଦେଖିଲା ଏହି ଆଶଙ୍କାରେ ଥିଲା ଯେ, କାର୍‌ ମଧୢରେ ଥିବା ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିବେ। ହେଲେ ରଖେ ହରି ମାରେ କିଏ। ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସମସ୍ତ ଯାତ୍ରୀ। ଦୁର୍ଘଟଣା ଘଟିବାର ମାତ୍ର ଅଳ୍ପ କିଛି ମୁହୂର୍ତ୍ତ ଆଗରୁ କାର୍‌ରୁ ଓହ୍ଲାଇ ପଡ଼ିଥିଲେ ଏଥିରେ ଥିବା ସମସ୍ତ ଆରୋହୀ।

ଖବର ଅନୁଯାୟୀ, ଦ୍ବାରଶୁଣୀ ଘାଟିରେ ୫ ଦିନ ହେଲା ମହାରାଷ୍ଟ୍ରର ଏକ ଟ୍ରକ୍‌ (ଏମଏଚ୍‌-୧୬-ବିସି-୩୨୯୯) ଦୁର୍ଘଟଣାଗ୍ରସ୍ତ ହୋଇ ଛିଡ଼ା ହୋଇଥିଲା। ଟ୍ରକ୍‌ଟିକୁ ସଜାଡ଼ିବା ପାଇଁ ମହାରାଷ୍ଟ୍ରରୁ ଟ୍ରକ୍‌ ମାଲିକଙ୍କ ସହିତ ସ୍ଥାନୀୟ କିଛି ମେକାନିକ୍‌ ଏକ କାର୍‌ରେ ଘଟଣାସ୍ଥଳକୁ ଆସିଥିଲେ। ମାତ୍ର କାର୍‌ ଉପରେ ଅନ୍ୟ ଏକ ଟ୍ରକ୍‌ ଓଲଟିବାର କିଛି ସମୟ ଆଗରୁ ସମସ୍ତେ କାରରୁ ବାହାରି ଖରାପ ଥିବା ଟ୍ରକ୍‌ ଆଡ଼କୁ ଚାଲି ଯାଇଥିଲେ। ଫଳରେ ସେମାନେ ନିଶ୍ଚିତ ମୃତ୍ୟୁ ମୁହଁରୁ ବର୍ତ୍ତିଗଲେ ବୋଲି କୁହନ୍ତି କାର୍‌ ମାଲିକ। ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଖାଲି କରିଥିଲା। ତେବେ ଦ୍ବାରଶୁଣୀ ଘାଟିରେ ଦୈନିକ ବଡ଼ ଧରଣର ଦୁର୍ଘଟଣା ଘଟୁଥିଲେ ମଧୢ ପ୍ରଶାସନର ନିରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସ‌ନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର