ପୋଲ ତଳକୁ ଖସିଲା ଟ୍ରକ, ୨ ମୃତ

ଭବାନୀପାଟଣା/ବୋର୍ଡା : କଳାହାଣ୍ଡି ତୁର୍କେଲ ତେଲନଦୀ ପୋଲର ସେଁପୁର ଘାଟରେ ଏକ ଲୁହା ବୋଝେଇ ଟ୍ରକ ବୁଧବାର (ସିଜି ୦୪ ଏମଡି୮୮୬୮) ଖସି ପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମେ ଡ୍ରାଇଭରଙ୍କ ଶବ ମିଳିଥିବା ବେଳେ ବହୁ ସମୟ ଖୋଜାଖୋଜି ହେଲପରଙ୍କ ଶବ ଉଦ୍ଧାର ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ରାୟପୁରରୁ ଲୁହା ବୋଝେଇ କରି ଉକ୍ତ ଟ୍ରକଟି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରକଟି ଭାରସାମ୍ୟ ହରାଇ ତୁର୍କେଲ ତେଲନଦୀ ପୋଲ ତଳକୁ ଖସି ସେଁପୁର ଘାଟରେ ନଦୀ ଗର୍ଭରେ ପଡ଼ିଥିଲା। ଖବର ପାଇ ସେଁପୁର ସରପଞ୍ଚ ରାଜେଶ ପ୍ରସାଦ ସାହୁ ଓ ଉପସ୍ଥିତ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ନଦୀରେ ଅଧିକ ପାଣି ଥିବାରୁ ଉଦ୍ଧାର କରିପାରିନଥିଲେ। ଦମକଳ ବାହୀନି ନଦୀରେ ଖୋଜାଖୋଜି କରିବା ପରେ ଡ୍ରାଇଭରଙ୍କ ଶବ ଉଦ୍ଧାର କରିଥିଲା। ମୃତ ଡ୍ରାଇଭରଙ୍କ ନାମ ତ୍ରିଲୋଚନ ହଂସ (୫୦) ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଗଡିଆଯୋର ବୋଲି ପୁଲିସ ପ୍ରକାଶ କରିଛି। ପକଲିନ ଓ କ୍ରେନ ମେସିନ ଲଗାଇ ଅଧିକ ଖୋଜାଖୋଜି କରିବା ପରେ ବହୁ ବିଳମ୍ବରେ ହେଲପର ତୁରେକେଲା ବ୍ଲକର ପ୍ରଶାନ୍ତ ପୁଟା(୧୭)ଙ୍କ ଶବ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର