ଡିଜେଲ ସରିବାରୁ ଓଭର ବ୍ରିଜ ମଝିରେ ଅଟକିଲା ଟ୍ରକ୍‌; ଫସିଲା ଶହଶହ ଗାଡ଼ି

ରାୟଗଡ଼ା: ସହରର ମଧ୍ୟ ଭାଗରେ ରହିଥିବା ଓଭର ବ୍ରିଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଭର ବ୍ରିଜ ଦେଇ ଯାଉଥିବା ଏକ ଟ୍ରକ୍‌ରୁ ଡିଜେଲ ସରିବାରୁ ବୁଧବାର ସନ୍ଧ୍ୟାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଟ୍ରକ୍‌ଟି ବ୍ରିଜ ଉପରେ ଅଟକି ରହିବା କାରଣରୁ ଶହଶହ ଗାଡ଼ି ଫସିଛି ଦୁଇପଟେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନଙ୍କର ଭିଡ ହେବାରୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗାଡିଗୁଡିକ ଦୁଇପଟେ ଅଟକି ରହିଥିଲା। ବହୁ ଲୋକ ନିଜର ଜରୁରୀ କାମରେ ଯୋଗ ଦେବାକୁ ଯିବାକୁ ଥିବା ବେଳେ ଏବେ ଆମ୍ବୁଲାନ୍ସରେ ରୋଗୀ ରହିଥିଲେ ମଧ୍ୟ ଓଭର ବ୍ରିଜରେ ଜାମ ହେବା ଫଳରେ ବହୁ ଲୋକ ହଇରାଣ ହୋଇଥିଲେ। ପରେ ପୁଲିସ ଖବର ପାଇ ଓଭର ବ୍ରିଜ ନିକଟରେ ପହଞ୍ଚିଥିଲେ ମଧ୍ୟ ଭିଡ଼ କମାଇବାରେ ବିଫଳ ହୋଇଥିଲା। ଦୁଇପଟରୁ ଯାନବାହାନଗୁଡିକ ଓଭର ବ୍ରିଜ ଉପରେ ଭିଡ ଜମାଇବାରୁ କେହି ଆଗକୁ କିମ୍ବା ପଛକୁ ଯାଇପାରିନଥିଲେ। ଫଳରେ ଘଣ୍ଟାଘଣ୍ଟା ଧରି ଅଟକି ରହିଥିଲେ। ଏପରିକି ସ୍କୁଲ ପିଲା ବି ଫସି ଭିଡ ଭିତରେ ଫସି ରହିଥିଲେ।

ପ୍ରକାଶ ଥାଉକି ରେଳ ବିଭାଗର ତୃତୀୟ ରେଳ ଲାଇନ ନିର୍ମାଣ ହେଉଥିବାରୁ ଅଣ୍ଡର ଗ୍ରାଉଣ୍ଡ ରାସ୍ତାକୁ ବନ୍ଦ କରିଦିଆଯାଇଛି। ନଚେତ ସେହି ରାସ୍ତା ଦେଇ ଲୋକେ ଏକ ପ୍ରକାର ଯିବା ଆସିବା କରୁଥିଲେ।ତାହା ବନ୍ଦ ହେବାରୁ ପୁରୁଣା ରାୟଗଡାରୁ ନୂଆ ରାୟଗଡାକୁ ଯିବାକୁ ଓଭର ବ୍ରିଜ ଏକ ମାତ୍ର ସାହାରା ଅଟେ। ବହୁ ସମୟରେ ଓଭର ବ୍ରିଜରେ ଗାଡିଗୁଡିକ ଅଟକୁ ଥିବାରୁ ଦୁଇପଟେ ଜାମ ହୋଇ ଲୋକେ ହଇରାଣ ହେଉଛନ୍ତି। ପ୍ରଶାସନ ତରଫରୁ ଆଉ ଏକ ରାସ୍ତା ବାହାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଓଭର ବ୍ରିଜଟି ୩୨୬ ଜାତୀୟ ରାଜପଥ ଉପରେ ରହିଥିବାରୁ ଶହ ଶହ ଟ୍ରକ,ବସ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି।ପୁଣି ରାୟଗଡ଼ା ବାସିନ୍ଦା ମଧ୍ୟ ଏହି ଗୋଟିଏ ରାସ୍ତାରେ ହିଁ ଯିବା ଆସିବା କରନ୍ତି। ତେଣୁ ଆଉ ଏକ ବାଇପାସ ରାସ୍ତା ପୁରୁଣା ରାୟଗଡାରୁ ନୂଆ ରାୟଗଡାକୁ ନିର୍ମାଣ କରାଗଲେ ଲୋକେ ଉପକୃତ ହେବା ସହ ଭିଡ କମିଥାନ୍ତା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର