ଧନକଉଡ଼ା: ସମ୍ବଲପୁର ଜିଲ୍ଲା ଗୋଶାଳା ସ୍ଥିତ ଓମ୍‌ଫେଡ୍‌ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଶବ ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାପ୍ତ ସୂଚନାନୁସାରେ ବୁର୍ଲା ଥାନା ଗୋଶାଳା ନିକଟସ୍ଥ ବଉଦିଆ ପଡ଼ାର ଶ୍ୟାମ ଛେତ୍ରୀ (୫୫) ଜଣେ ଅଟୋ ଚାଳକ। ଆଜି ସକାଳ ପ୍ରାୟ ୮ଟା ବେଳେ ସେ ନିଜ ଅଟୋ (ଓଡି ୧୫ପି-୩୦୨୪) ନେଇ ବୁର୍ଲାରୁ ଗୋଶାଳା ଫେରୁଥିଲେ। ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ଓମ୍‌ଫେଡ୍‌ ସମ୍ମୁଖ ସର୍ଭିସ୍‌ ରୋଡ୍‌ରେ ସେ ଆସୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପାନମସଲା ବୋଝେଇ ପିକ୍‌ଅପ୍‌ (ଓଡି ୧୫ଏଲ୍‌-୦୫୬୮) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।

Advertisment

ଧକ୍କା ଦେବା ପରେ ଭ୍ୟାନ୍‌ଟି ଅଟୋକୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଯଦ୍ବାରା ଶ୍ୟାମ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ପିକ୍‌ଅପ୍‌ ଚାଳକଙ୍କୁ ବି ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ୟାମଙ୍କ ମୃତହେଦ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶବ ଗୋଶାଳାରେ ପହଞ୍ଚିବା ପରେ ସ୍ଥାନୀୟ ଅଟୋ ଚାଳକ, ପରିବାର ବର୍ଗ ଓ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ଉତ୍ତେଜନାପୂର୍ଣ୍ଣ ହେବାରୁ ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାସ , ବୁର୍ଲା ଥାନାଧିକାରୀ ହାଡୁ ବେହେରା, ଜିଲ୍ଲା ଡିଏସ୍‌ପି ତପନ ବେହେରା ଓ ଗୋଶାଳା ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ମାତ୍ର ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧରୁ ହଟି ନଥିଲେ। ଯାହା ଫଲରେ ପ୍ରାୟ ୨ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହୋଇ ରହିଥିଲା। ପରେ ପୁଲିସ ପକ୍ଷରୁ ଅଧିକ ବୁଝାସୁଝା କରାଯିବା ପରେ ଶବକୁ ରାସ୍ତାରୁ ହଟାଇବାରୁ ଯାନବାହନ ଚଳାଚଳ ସ୍ୱାଭିବିକ ହୋଇଥିଲା। ତେବେ ପୁଲିସ୍‌ ପକ୍ଷରୁ ଆପୋଷ ସମାଧାନ ପାଇଁ ମୃତକଙ୍କ ପରିବାର ଲୋକଙ୍କୁ ଗୋଶାଳା ଫାଣ୍ଡିକୁ ଡକାଯାଇଥିଲା। ମାତ୍ର ଖବର ଲେଖାଯିବା ପର୍ଯ୍ୟନ୍ତ ପିକ୍‌ଅପ୍‌ର ମାଲିକ ନ ଆସିବାରୁ କୌଣସି ସମାଧାନ ହୋଇପାରି ନାହିଁ। ଏହାକୁ ନେଇ ଆନ୍ଦୋଳନାକରୀ ଓ ପୁଲିସ୍‌ ମଧ୍ୟରେ ବି ଉତ୍ତେଜନା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମହିଳା ଓ ପୁରୁଷ ଜିଦରେ ଅଟଳ ରହି ପୁଣି ଥରେ ଶବକୁ ଜାତୀୟ ରାଜପଥ ପାର୍ଶ୍ୱରେ ରଖି ଆନ୍ଦୋଳନ ଜାରି ରଖିଥିବା ଜଣାପଡ଼ିଛି। ପ୍ରକାଶଥାଉ କି ଶ୍ୟାମ ଜଣେ ସରଳ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ପରେ ଦୁଇ ପୁଅ ଝିଅ ଓ ପତ୍ନୀ ଅସହାୟ ହୋଇପଡ଼ିଛନ୍ତି। ଗୋଶାଳା ଅଟୋ ସଂଗ ଓ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି।