ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଗାର୍ଡୱାଲ ନିର୍ମାଣରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଆଜି ଏକ ଅଜଣା ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ଆଲାମ ଶେଖ(୨୪ବର୍ଷ)। ଅନ୍ୟପଟେ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଚଟି ବରଘାଟ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ପଶ୍ଚିମବଙ୍ଗ ରାଜ୍ୟର ଆଲମ ଶେଖ ଓ ଆସ୍ତରୁଲ ହକ‌୍‌ଙ୍କ ସମେତ ବହୁ ଶ୍ରମିକ ନିୟୋଜିତ ଥିଲେ। ଅପରାହ୍‌ଣରେ ସମ୍ବଲପୁର ପଟୁ କୋଲକାତା ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ନିର୍ମାଣ କାର୍ଯ୍ୟ କରୁଥିବା ଆଲମ ଶେଖ ଓ ଆସ୍ତରୁଲ ହକ୍‌ଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଆଲମଙ୍କ ମୃତ୍ୟୁ ଘଟିଥିବା ବେଳେ ଆସ୍ତରୁଲକୁ ଗୁରୁତର ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକମାନେ କିଛି ସମୟ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହିତ ଯାନାବାହନ ଚଳାଚଳ ସ୍ବଭାବିକ ହୋଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଟ୍ରକ୍‌ଟିକୁ ଜବତ କରିପାରି ନଥିବା ଜଣାପଡ଼ିଛି।