କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜୁନା କେଲଣ୍ଡାମାଲରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ସକାଳ ୮ଟା ବେଳେ ଏକ କାରଖାନାକୁ କଞ୍ଚାମାଲ ନେଇ ଯାଉଥିବା ଏକ ଟ୍ରକ୍‌ (ଓଆର୍ ୧୪କ୍ୟୁ-୨୯୯୦) କେଲଣ୍ଡାମାଲର ପ୍ରଫଲ୍ଲ କିଷାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଚାଳକ ଗାଁ’ ମୁଣ୍ଡରେ ଟ୍ରକ୍‌ ରଖି ଫେରାର୍‌ ମାରିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ଶବ ରଖି ୪ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ।

Advertisment

କୋଲାବିରା ଥାନାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଥାନାରେ କାରଖାନା କର୍ତ୍ତୃପକ୍ଷ, ଗାଡି ମାଲିକ ଓ ଗ୍ରାମବାସୀ ମଧ୍ୟରେ ଆଲୋଚନା ହୋଇଥିଲା। ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜି ହେବା ପରେ ଅବରୋଧ ହଟିଥିବା ଥାନାଧିକାରୀ ସୁକୁମାର ତ୍ରିପାଠୀ କହିଛନ୍ତି।