କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚାରବାହାଲ ଷ୍ଟେଟ୍ବ୍ୟାଙ୍କ ନିକଟରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜୟପାଟଣା ବ୍ଲକ୍ ବଡଟେମରି ଗ୍ରାମର ଜଗମୋହନ ବିହାରୀ (୪୭) ବୋଲି ଜଣାପଡ଼ିଛି। ସୂଚନାନୁସାରେ ଜଗମୋହନ ଆଜି ସକାଳେ କୌଣସି କାମରେ ଚାରବାହାଲ୍ ଷ୍ଟେଟ୍ବ୍ୟାଙ୍କ ଆସୁଥିବାବେଳେ ଏକ ଟ୍ରକ୍ (ସିଜି୦୪ଏଲ୍ଇ-୬୦୪୮) ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଗମୋହନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ମୃତକଙ୍କ ସଂପର୍କୀୟମାନେ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। ଖବର ପାଇ କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା, ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ରାସ୍ତା ଅବରୋଧ ଫଳରେ ୮ ଘଣ୍ଟା ହେଲା ଭବାନୀପାଟଣା-ମୁଖିଗୁଡ଼ା, ଜୟପୁର ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି।