ଘର ଉପରେ ମାଡ଼ିଗଲା ଟ୍ରକ୍, ଆଈ,ନାତି ମୃତ

କେନ୍ଦୁଝର : ସନ୍ଧ୍ୟାରେ ଘର ବାରଣ୍ଡାରେ ବସିଥିଲେ ଆଈନାତି। ଏକ ୧୪ ଚକିଆ ଟ୍ରକ୍‌ ଭାରସାମ୍ୟ ହରାଇ ଘର ଉପରେ ମାଡ଼ିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ପଳାଶପଙ୍ଗା ପଞ୍ଚାୟତ ବାଙ୍କମାରୁଣୀ ଗ୍ରାମର ସୁମିତ୍ରା ମହାନ୍ତ (୩୬) ଓ ନାତି ଶୁଭମ ମହାନ୍ତ (୧ବର୍ଷ)।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାବେଳେ ରାସ୍ତାକଡ଼ରେ ଥିବା ଘର ବାରଣ୍ଡାରେ ସୁମିତ୍ରା ଓ ଶୁଭମ୍‌ ବସିଥିଲେ। ଏହି ସମୟରେ ପଦ୍ମପୁରରୁ ପଳାଶପଙ୍ଗା ଅଭିମୁଖେ ଯାଉଥିବା ଏକ ୧୪ ଚିକିଆ ଟ୍ରକ୍ ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଯାଇଥିଲା। ଫଳରେ ଶୁଭମ୍‌ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୁମିତ୍ରା ଗୁରୁତର ହୋଇଥିଲେ। ତ଼ୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପଳାଶପଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଈନାତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର