ବାଲୁଗାଁ: ବାଣପୁର ଥାନା ବେଲପଡ଼ା ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରେକ୍ ହେଲପରଙ୍କ ମୃତ୍ୟୁ ଘଟିଛି। ଏନ୍‌ଏଚ୍ ୧୬ ବାଣପୁର ଥାନା ବେଲପଡ଼ା ଛକଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ଅନ୍ୟ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଟ୍ରକ୍‌ରେ ଥିବା ହେଲପରଙ୍କ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଡ୍ରାଇଭରଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment

ବେଲପଡା ଛକରେ ଏକ ମାଲ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା। ଗୁରୁବାର ଭୋର ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକ ଯାଉଥିଲା। ବେଲପଡା ଛକରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।

ଫଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ସମ୍ମୁଖ ଭାଙ୍ଗି ଚୂର୍‌ମାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଟ୍ରକ୍ ଭିତରେ ରହିଥିବା ବେଳେ ଖବର ପାଇ ବାଣପୁର ଥାନା ପୁଲିସ୍‌ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ କଟର ସାହାଯ୍ୟରେ ଟ୍ରକକୁ କାଟି ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ବାହାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ହେଲପରଙ୍କ ମୃତଦେହକୁ ଟ୍ରକ୍‌ରୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପୁଲିସ୍ ପକ୍ଷରୁ ପଠାଯାଇଛି।