କେନ୍ଦୁଝର: ପଥଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ

କେନ୍ଦୁଝର : କେନ୍ଦୁଝର ସହରର ମୁଖ୍ୟ ଛକ ଗାନ୍ଧୀ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଶନିବାର ପୂର୍ବାହ୍ଣ ସାଢେ ୧୦ଟା ପାଖାପାଖି ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିଲେ ଜଣେ ଯୁବକ ତାଙ୍କର ଡାହାଣ ଗୋଡ଼ଟିକୁ ହରାଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦୁଝର ସହର ଜେଲରୋଡ ନିକଟ ନୂଆସାହିରେ ରହୁଥିବା କାଠିଆ ମହାକୁଡ଼ (୩୮) କୌଣସି କାର୍ଯ୍ୟରେ ଗାନ୍ଧୀଛକ ପଟେ ଚାଲିକି ଯାଇଥିଲେ। ଗାନ୍ଧୀଛକ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ (ଓଡି ୦୯-ଜି-୯୨୪୯) ତାଙ୍କ ଉପରେ ଚଢିଯାଇଥିଲା । ଟ୍ରକର ଚକ ତାଙ୍କ ଡାହାଣ ଗୋଡ଼ ଉପରେ ଚଢିଯିବାରୁ ଗୋଡ଼ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ଅବସ୍ଥାରେ ସେ ଛଟପଟ ହେଉଥିବା ବେଳେ ଯୁବ ପରିଷଦର ଆବାହକ ବରଦା ପ୍ରସନ୍ନ ଦାସଙ୍କ ସହାୟତାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସିଳୟକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଗାନ୍ଧୀଛକ ଦେଇ ୪୯ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ- ଭୁବନେଶ୍ବର ମୁଖ୍ୟ ରାସ୍ତା ପରସ୍ପରକୁ ଅତିକ୍ରମ କରିଛନ୍ତି। ତେଣୁ ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି । ଜୁଡିଆ ଘାଟି ନିକଟରୁ ଜାମୁହୋତା ପୋଖରୀ ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଜାମ ରହୁଛି । କାରଣ ଅଣଓସାରୀ ରାସ୍ତାରେ ଏତେ ସଂଖ୍ୟକ ଗାଡି ଚଳାଚଳ କରିବାର କୌଣସି ପ୍ରକାର ଭିତ୍ତିଭୂମୀ ନାହିଁ । ସହରର ମୁଖ୍ୟ ରାସ୍ତା କଡ଼ରେ ବିନା ପାର୍କିଂରେ ମାଳମାଳ ବ୍ୟବସାୟିକ ଅନୁଷ୍ଠାନ ଗଢି ଉଠିଛି । ତେଣୁ ରାସ୍ତା ଭିଡ଼ ରହୁଛି। କେନ୍ଦୁଝର ଏକ ଛୋଟ ସହର ହୋଇଥିବା‌ ବେଳେ ଜନଗହଳି ରହିଥାଏ । ତେଣୁ ବହୁ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ପ୍ରଶାସନର ନିଘା ନାହିଁ। ବଜାର ଅଞ୍ଚଳ ଦେଇ ଦିନବେଳା ଭାରୀଯାନ ଚଳାଚଳ ଉପରେ ବିଭିନ୍ନ ସ୍ଥାନରେ ଅଙ୍କୁଶ ଲଗାଇଯାଇଥିବାବେଳେ କେନ୍ଦୁଝର ସହରରେ ଏହା କାହିଁକି ଲାଗୁ କରାଯାଉ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚମ୍ପୁଆ, ବିଲେଇପଦା ପରି ଛୋଟଛୋଟ ବଜାର ଦେଇ ଦିନବେଳା ଭାରୀଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଯାଇଛି । ସେହିପରି ରାଜ୍ୟର ବିଭିନ୍ନ ବଜାରରେ ମଧ୍ୟ ଦିନବେଳେ ଭାରୀଯାନ ଚଳାଚଳ ଉପରେ ଅଂକୁଶ ଲଗାଯାଇଛି । ହେଲେ କେନ୍ଦୁଝର ପରି ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ହଜାର ହଜାର ଟ୍ରକ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ ବୋଲି ସହରବାସୀ କହୁଛନ୍ତି।

ଗତ ସପ୍ତାହ ଏହିପରି ଜଣେ ବ୍ୟକ୍ତି ଟ୍ରେଲର ଚକା ତଳେ ପଡି ଜେଲରୋଡ ନିକଟରେ ଜୀବନ ହରାଇଥିଲେ। ତେଣୁ ବାଇପାସ ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ଦାବି ହେଉଛି। ଆଉ ଯେତେ ପର୍ଯ୍ୟନ୍ତ ବାଇପାସ ନିର୍ମାଣ ଶେଷ ହୋଇ ନାହିଁ ସେ ପର୍ଯ୍ୟନ୍ତ କେନ୍ଦୁଝର ସହର ମଧ୍ୟ ଦେଇ ଦିନବେଳା ଭାରୀଯାନ ଚଳାଚଳ ଉପରେ ପ୍ରଶାସନ ତୁରନ୍ତ ଅଂକୁଶ ଲଗାଉ ବୋଲି ଯୁବ ପରିଷଦ ଆବାହକ ବରଦା ପ୍ରସନ୍ନ ଦାସ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର