ବିବାହ ଭୋଜିକୁ ଗଲାବେଳେ ଘାଟିରେ ଓଲଟିଲା ଟ୍ରକ୍‌, ୫୨ ଆହତ, ୧୮ ଗୁରୁତର

ଟ୍ରକ୍‌ ଡାଲାରେ ଯାଉଥିଲେ ୧୦୦ରୁ ଅଧିକ ଯାତ୍ରୀ

ଦାରିଙ୍ଗବାଡ଼ି : ଟ୍ରକ୍‌ ଡାଲାରେ ବୋଝେଇ ହୋଇ ବିବାହ ଭୋଜି ଖାଇବା ପାଇଁ ଯାଉଥିଲେ ୧୦୦ରୁ ଅଧିକ ପୁରୁଷ, ମହିଳା, ପିଲା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୫୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ହେଲେ ତରାମାହା ଗ୍ରାମର ଜନାଆଲୁ ମଳିକ, ମଇସକ ମଳିକ, ପୁଟୁଡୁମାହା ଗ୍ରାମର ମାର୍ଥା ମଲିକ, ପ୍ରକାଶ ବେହେରାମାଝୀ, ପ୍ରଫୁଲ ମଲିକ, ଗୀତ ମାଝି, ସୁବଳ ମୁଠାମାଝି,ସୁନୀତ ମାଝୀ, ନିରଳା ମାଝୀ ମାଣ୍ଟୁ ମଲିକ, ତାରାମାହା ଗ୍ରାମର ପ୍ରଫୁଲ ମଲିକ, ପ୍ରତାପ ମଳିକ, ବେଙ୍ଗେମାହା ଗ୍ରାମର ସନଜ ମଳିକ, ଜିନତି ମାଝି, କାଲିଙ୍ଗି ଗ୍ରାମର ସାରା ମଳିକ, ଜିନତି, ନାଜାଲି ମଲିକ, ଗାହାକିଆ ଗ୍ରାମର ଏଷ୍ଟର ପ୍ରଧାନ ବୋଲି ଦାରିଙ୍ଗବାଡ଼ି ମେଡିକାଲ୍‌ ସ୍ବାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ବ୍ରାହ୍ମଣଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର ଝିଅ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମରେ ଶୁକ୍ରବାର ଦିନ ବିବାହ କରିଥିଲେ। ଶନିବାର ଦିନ ପୁଟୁଡୁମାହାରୁ କନ୍ୟାଘର ପରିବାର ଓ ସମ୍ପର୍କୀୟ ମିଶି ପ୍ରାୟ ଶହେରୁ ଅଧିକ ଖୁନ୍ଦାଖୁନ୍ଦି ହୋଇ ଟ୍ରକ୍‌ ଡାଲାରେ ପାଙ୍ଗାଲୀ ଗ୍ରାମକୁ ଭୋଜି ଖାଇବା ପାଇଁ ଆସୁଥିଲେ। ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ। ଥାନା ଅଧିକାରୀଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗ ଓ ମେଡିକାଲର ସମସ୍ତ କର୍ମଚାରୀ ଓ ତହସିଲ୍‌ଦାର ଚାର୍ଲସ ନାୟକ, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିବା ସହ ୧୮ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ନଥିବାରୁ ଘରୋଇ ଗାଡ଼ି ସୁବିଧା କରି ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ତେବେ ଘାଟି ରାସ୍ତାରେ ଟ୍ରକ୍‌ ଡାଲାରେ ଏତେ ସଂଖ୍ୟକ ଯାତ୍ରୀ ନେଇ କିଭଳି ଟ୍ରକ୍‌ ଚାଳକ ଯାଉଥିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝି କହିଛନ୍ତି।

ସମ୍ବନ୍ଧିତ ଖବର