ରାଉରକେଲା: ଲକ୍ଡାଉନ୍ର ସିଧାସଳଖ ପ୍ରଭାବ ପଡିଛି ମାଲ୍ ପରିବହନ ସେବାରେ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ମାତ୍ର ହାତ ଗଣତି କେତୋଟି ଟ୍ରକ ଚାଲିଛି। ଆନ୍ଧ୍ରପ୍ରଦେଶରୁ ମାଛ, କଲିକତାରୁ ଆଳୁ, ପିଆଜ ସମେତ କିଛି ଔଷଧ ଟ୍ରକରେ ପରିବହନ ହେଉଛି। ଖଣିଖାଦାନ, ଶିଳ୍ପ ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନ, ରେଲୱେ ସାଇଡିଂ, କୋଇଲା ପରିବହନ, ଜିଲ୍ଲା ଖଣିଜ ପାଣ୍ଠିରେ ତିଆରି ରାସ୍ତା, ଗୃହ ନିର୍ମାଣରେ ବ୍ୟବହାର ହେଉଥିବା ଇଟା, ବାଲି, ଚିପ୍ସ, ସିମେଣ୍ଟ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାରେ ଦୈନନ୍ଦିନ ଚାଲୁଥିବା ପ୍ରାୟ ୩୫ ହଜାର ଟ୍ରକ, ଟିପ୍ପର ଛିଡା ହୋଇଛି। ଏଥିମଧ୍ୟରୁ ମାତ୍ର ୩ % ଟ୍ରକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛନ୍ତି। ଟ୍ରକ ଓ ଟିପ୍ପରରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ୭୦ ହଜାରରୁ ଅଧିକ ଡ୍ରାଇଭର, ହେଲପ୍ରଙ୍କ ଜୀବନ ଜୀବିକା ସଙ୍କଟରେ ପଡିଛି। ଏମାନଙ୍କ ମଧ୍ୟରୁ ୫୦% ଡ୍ରାଇଭର, ହେଲପର ପଡୋଶୀ ରାଜ୍ୟ ଛତିଶଗଡ, ବିହାର ଓ ଝାଡ଼ଖଣ୍ଡର।
ଲକ୍ଡାଉନ୍ ଘୋଷଣା ପରେ ପ୍ରାୟ ୪୦ ହଜାର ଡ୍ରାଇଭର, ହେଲପ୍ର ନିଜ ନିଜ ଗାଁକୁ ଚାଲିଯାଇଛନ୍ତି। ରୋଜଗାର ନଥିବାରୁ ପରିବାର ସହ ଦୁଃଖକଷ୍ଟରେ ଚଳୁଛନ୍ତି। ଅବଶିଷ୍ଟ ୩୦ ହଜାର ଡ୍ରାଇଭର ଓ ହେଲପ୍ର ଜିଲ୍ଲାର ବିଭିନ୍ନ ଜାଗାରେ ଫସିଛନ୍ତି। କିଏ ଟ୍ରକ ଟିପ୍ପର ମଧ୍ୟରେ ଦିନକୁ ଓଳିଏ ଖାଇ ଜୀବନ ଅତିବାହିତ କରୁଛି ତ କିଏ ଆଉ କିଏ କିଛି ଘରକୁ ଯାଇ ନ ପାରି ପିଲାଛୁଆଙ୍କ ସହ ଭଡାଘରେ ଭୋକରେ ଦିନ କାଟୁଛନ୍ତି। ସମାନ ସ୍ଥିତି ଉପୁଜିଛି ମାଲିକଙ୍କମାନଙ୍କ କ୍ଷେତ୍ରରେ। ସେମାନେ କିପରି ଗାଡିର ଋଣ ସୁଝିବେ, ଡ୍ରାଇଭର ଓ ହେଲପ୍ରଙ୍କୁ ସେମାନଙ୍କ ପରିବାର ଚଳିବାକୁ ଦରମା ଦେବେ ଚିନ୍ତାରେ ପଡିଛନ୍ତି। ସ୍ଥିତି ଏମିତି ଉପୁଜିଛି ଯେ, କିଛି ମାଲିକ କର୍ମଚାରୀଙ୍କ ଦରମା ଦେବାକୁ ସମ୍ପୂର୍ଣ୍ଣ ଅକ୍ଷମ। ଏଭଳି କଠିନ ସମୟରେ ହାତବାନ୍ଧି ବସିଥିବା ଡ୍ରାଇଭର ଓ ହେଲପ୍ରଙ୍କ ଦୁଃଖ ବଢ଼ିଯାଇଛି।
ସେପଟେ ଟ୍ରକ ଓ ଟିପ୍ପର ଚାଲୁନଥିବାରୁ ଜିଲ୍ଲାରୁ ଦୈନିକ ପ୍ରାୟ ୧୦ରୁ ୧୫ କୋଟି ରାଜସ୍ବ ହରାଇବାକୁ ପଡୁଛି। ଉଭୟ ମାଲିକ ଓ କର୍ମଚାରୀଙ୍କ ସମସ୍ୟା ଦୂର ପାଇଁ ଜିଲ୍ଲାର ବେଦବ୍ୟାସ ଟ୍ରକ ସଂଘ, ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ସଂଘ, ରାଉରକେଲା ଗୁ୍ଡ୍ସ ଆଣ୍ଡ ଟ୍ରକ ଆସୋସିଏସନ୍ (ଆର୍ଜିଟିଏ), କୋଇଡା ଟିପ୍ପର ସଂଘ, ବରସୁଆଁ, ଟେନସା, ଲହୁଣୀପଡା, ସୁନ୍ଦରଗଡ, ରାଜଗାଙ୍ଗପୁର ଆଦି ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବେଦବ୍ୟାସ ଟ୍ରକ ସଂଘ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରଣାଳୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଲକ୍ଡାଉନ୍ ସମୟରେ ଟ୍ରକ ଚଳପ୍ରଚଳ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରିଛନ୍ତି। ସଂଘର ସଭାପତି ବିଜୟ ପ୍ରଧାନ କହିଛନ୍ତି, ଜିଲ୍ଲାରେ ସ୍ପଞ୍ଜ କାରଖାନାଗୁଡ଼ିକ ଚାଲୁ କରାଯାଉ। କୋଇଡା ଅଞ୍ଚଳରେ ଥିବା ଖଣିଗୁଡ଼ିକ ଚାଲୁ କରିବା ଓ ଖଣିଜପଦାର୍ଥ ପରିବହନ ପାଇଁ ସୁବନ୍ଦୋବସ୍ତ କରିବା ଦରକାର। ପେଟ୍ରୋଲ ପମ୍ପ ନିକଟରେ ଢ଼ାବା, ଗ୍ୟାରେଜ୍, ଟାୟାର ଦୋକାନ, ଯନ୍ତ୍ରାଂଶ ଦୋକାଗୁଡ଼ିକ ଖୋଲା ନ ଗଲେ ଟ୍ରକ, ଟିପ୍ପର ଗୁଡ଼ିକ ଚାଲିପାରିବ ନାହିଁ।
ଲକ୍ଡାଉନ୍ ସମୟରେ ସିମେଣ୍ଟ, ରଡ୍, ଚିପ୍ସ, ବାଲି ଇତ୍ୟାଦି ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀକୁ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍ ବୋଲି କହିଛନ୍ତି। ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଆସୋସିଏସନର ଉପଦେଷ୍ଟା ବିଶ୍ବ ରଞ୍ଜନ ବେଉରା କହିଛନ୍ତି, ସରକାର ଋଣ କିସ୍ତିକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ କିଛି ମାନେ ନାହିଁ। ମାଲିକମାନେ ଏକକାଳୀନ କିସ୍ତି ପରିଶୋଧ କରି ପାରିବେ ନାହିଁ। ତିନିମାସ କିସ୍ତି ପରିଶୋଧ ସମୟ ସୀମାକୁ ବୃଦ୍ଧି ନ କରି ସମ୍ପୂର୍ଣ୍ଣ ଛାଡ କରିଦେବା ଦରକାର। ସରକାର ସ୍ବତନ୍ତ୍ର ପ୍ୟାକେଜ୍ ଆଣିବା ଦରକାର। ଆର୍ଜିଟିଏ ସଭାପତି ରାଜକୁମାର ଯାଦବ କହିଛନ୍ତି ଡ୍ରାଇଭର, ହେଲପରଙ୍କ ପାଇଁ ବୀମା ସହ ସେମାନଙ୍କୁ ସରକାର ଆର୍ଥିକ ସହାୟତା ଦେବାର ଆବଶ୍ୟକତା ରହିଛି। ଏଥିସହ ରୋଡ୍ ଟ୍ୟାକ୍ସ ପରିଶୋଧ ସମୟ ସୀମାକୁ ବୃଦ୍ଧି କରି ଛାଡ କରଦେବାକୁ ସରକାର ନିଷ୍ପତ୍ତି ଦେବା ଉଚିତ। ନ ହେଲେ ଅଧିକାଂଶ ଟ୍ରକ, ଟିପ୍ପର ରାସ୍ତାରେ ଗଡି ପାରିବ ନାହିଁ।