କେନ୍ଦୁଝର: ପରିବାର ପ୍ରତିପୋଷଣ ପାଇଁ ଋଣରେ ଟ୍ରକ୍ ଆଣି ଲୁହାପଥର ପରିବହନରେ ଲଗାଇଥିଲେ। ଲୋଡିଂ ନ ମିଳିବାରୁ ଋଣ କିସ୍ତି ଦେବା ସମ୍ଭବ ହେଲାନି। ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଟ୍ରକ୍ ନେଇଯିବା ପରେ ମାନସିକ ଭାରସାମ୍ୟ ହରାଇ କେନ୍ଦୁଝର ଜିଲ୍ଲାର ଜଣେ ଟ୍ରକ୍ ମାଲିକ ମାଲ୍ବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କେନ୍ଦୁଝର ସଦର ବ୍ଲକ୍ ଗୋବର୍ଦ୍ଧନ ଗ୍ରାମର ରବିନାରାୟଣ ଦେଓଙ୍କ ପୁଅ ଲୋକନାଥ ଦେଓ (୩୧)। ଲୋକନାଥ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ କରି ଦୁଇଟି ୧୪ ଚକିଆ ହାଇୱା କିଣି ଲୁହାପଥର ପରିବହନରେ ନିୟୋଜିତ କରିଥିଲେ। ସ୍ଲରିପାଇପ୍ ଲାଇନ୍ ଓ ଟ୍ରେନ୍ରେ ଖଣିଜ ପରିବହନ ଯୋଗୁଁ ତାଙ୍କ ଟ୍ରକ୍କୁ ଠିକ୍ ଭାବେ ଲୋଡିଂ ମିଳୁନଥିଲା। ଫଳରେ ଦୁଇଟି ହାଇୱାର ଋଣ କିସ୍ତି ବାବଦକୁ ମାସିକ ୨ଲକ୍ଷ ୪୦ ହଜାର ଟଙ୍କା ପଇଠ କରିବା ତାଙ୍କ ପକ୍ଷରେ କଷ୍ଟକର ହେଉଥିଲା। ଋଣ କିସ୍ତି ପ୍ରଦାନରେ ଖିଲାପ କରିବାରୁ ଅର୍ଥଲଗାଣକାରୀ ସଂସ୍ଥା ତାଙ୍କର ଗୋଟିଏ ହାଇୱାକୁ ନେଇଯାଇଥିଲା। ସେବେଠାରୁ ସେ ମାନିସିକ ଚାପରେ ଥିଲେ। ଗତକାଲି ରାତିରେ ଲୋକନାଥ ବାଇକ୍ ନେଇ ଘରୁ ଆସିଥିଲେ। ଆଜି ସକାଳେ କାଦଗଡ଼ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ଥିଲା। ରେଳଧାରଣାରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେ ଏକ ମାଲ୍ବାହୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ରେଳବାଇ ପୁଲିସ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇବା ପରେ ସନ୍ଧ୍ୟାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସ୍ଲରିପାଇପ୍ ଓ ଟ୍ରେନ୍ରେ ଲୁହାପଥର ପରିବହନ ଯୋଗୁଁ ଟ୍ରକ୍ଗୁଡ଼ିକ ଲୋଡିଂ ନପାଇ ରାସ୍ତାକଡ଼ରେ ଛିଡ଼ା ହେଉଛନ୍ତି। ମାଲିକମାନେ ଋଣ କିସ୍ତି ଦେଇପାରୁ ନାହାନ୍ତି। କେବଳ ମାଲିକ ନୁହନ୍ତି ଟ୍ରକ୍ ଚାଳକ ଓ ହେଲପର୍ମାନେ ମଧ୍ୟ ଜୀବିକା ହରାଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଟ୍ରକ୍ ମାଲିକଙ୍କ ଆର୍ଥିକ ଅବସ୍ଥା ସଂଗିନ ହେବ ବୋଲି ଯୋଡ଼ା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ କହିଛନ୍ତି।
ଟ୍ରେନ୍ ଆଗକୁ ଡେଇଁ ଟ୍ରକ୍ ମାଲିକଙ୍କ ଆତ୍ମହତ୍ୟା, ଅସହ୍ୟ ହେଲା ଋଣ ବୋଝ
ପରିବାର ପ୍ରତିପୋଷଣ ପାଇଁ ଋଣରେ ଟ୍ରକ୍ ଆଣି ଲୁହାପଥର ପରିବହନରେ ଲଗାଇଥିଲେ। ଲୋଡିଂ ନ ମିଳିବାରୁ ଋଣ କିସ୍ତି ଦେବା ସମ୍ଭବ ହେଲାନି। ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଟ୍ରକ୍ ନେଇଯିବା ପରେ ମାନସିକ...
/sambad/media/media_files/2025/06/12/niSujmy8OXin9Ye4KBNQ.jpg)