ଟ୍ରକ୍‌ ମାଲିକଙ୍କୁ ୮୬,୫୦୦ ଜରିମାନା

ସମ୍ବଲପୁର : ସାରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ରାଜ୍ୟରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ୪୭ ହଜାର ଟଙ୍କା ଜରିମାନା ଆଦାୟ କରାଯିବାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଏହାକୁ ଅତିକ୍ରମ କରି ଜଣେ ଟ୍ରକ୍‌ ଡ୍ରାଇଭର ନାମରେ ୮୬ ହଜାର ୫ଶହ ଟଙ୍କା ଜରିମାନାର ଚଲାନ୍ କଟାଯାଇଛି। ଯାହାକି ଅଦ୍ୟାବଧି ରାଜ୍ୟର ସବୁଠାରୁ ଅଧିକ ଜରିମାନା ବୋଲି କୁହାଯାଉଛି। ଟ୍ରକ୍‌ ମାଲିକଙ୍କ ସହ ଆଲୋଚନା ପରେ ୭୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ପରିବହନ ଅଧିକାରୀ ଲଲିତ ମୋହନ ବେହେରାଙ୍କୁ ପଚାରିବାରେ ଯେହେତୁ ଟ୍ରାଫିକ ନିୟମ ଉଲ୍ଲଂଘନର ଜରିମାନା ଦେୟ ବଢ଼ିଛି ତେଣୁ ଏତେ ଅଧିକ ଟଙ୍କା ଭଳି ଲାଗୁଛି ବୋଲି କହିଥିଲେ। କିନ୍ତୁ ପରିବର୍ତ୍ତିତ ନିୟମରେ ଏହା ରାଜ୍ୟର ସର୍ବାଧିକ ଟଙ୍କାର ଜରିମାନା ନା ନାହିଁ ସେନେଇ କହି‌ହେବନି ବୋଲି ଶ୍ରୀ ବେହେରା କହିଥିଲେ।

ମିଳିଥିବା ସୂଚନା ମୁତାବକ, ଗତ ୩ ତାରିଖ ରାତି ୨ଟା ୨ ମିନିଟରେ ନାଗାଲାଣ୍ଡରୁ ଆସୁଥିବା ଟ୍ରକ୍‌ (ଏନ୍‌ ଏଲ ୦୧ ଜି୧୪୭୦)କୁ ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥରେ ଅଟକାଯାଇଥିଲା। ଡ୍ରାଇଭର ଅଶୋକ ଯାଦବଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ପରେ ଅନଧିକୃତ ବ୍ୟକ୍ତିଙ୍କ ଦ୍ବାରା ଗାଡ଼ି ଚାଳନା(୫୦୦୦), ଡ୍ରାଇଭିଂ ଲାଇସେନ୍ସ ନଥିବା(୫୦୦୦), ଓଭରଲୋଡ(୫୬୦୦୦), ଗାଡ଼ିର ଆକାରରୁ ଅଧିକ ସ୍ଥାନରେ ମାଲ୍‌ ବୋଝେଇ(୨୦୦୦୦) ଓ ସାଧାରଣ ଅପରାଧ ଘଟଣା(୫୦୦)ରେ ଡ୍ରାଇଭରଙ୍କୁ ୮୬ ହଜାର ୫୦୦ ଟଙ୍କାର ଜରିମାନା ଦେବାକୁ କୁହାଯାଇଥିଲା। ପରେ ମୂଲଚାଲ ହୋଇ ୭୦ ହଜାର ଟଙ୍କାରେ ମୂଲଚାଲ ଛିଣ୍ଡି ଟଙ୍କା ଜମା କରାଯିବା ପରେ ସନ୍ଧ୍ୟା ୭ଟା ୪୩ ମିନିଟରେ ଗାଡ଼ିକୁ ଛଡ଼ାଯାଇଥିଲା। ଟ୍ରକ୍‌ରେ ୧୮ ଏମ୍‌ଟିର ଅତ୍ୟଧିକ ଲୋଡ୍‌ ରହିଥିବା ଚଲାନ୍‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର