ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଲୌହଖଣିରେ ୪ ଦଫା ଦାବି ନେଇ ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ (ମାଟୋଆ) ପକ୍ଷରୁ ବୁଧବାରଠାରୁ ପୁଣି ଧାରଣା ଦିଆଯାଇଛି। ଧାରଣାରେ ବସିଥିବା ଟ୍ରକ୍ ମାଲିକମାନେ ବିଧାୟିକାଙ୍କ ବିରୋଧରେ ବର୍ଷିଛନ୍ତି। ଫଳରେ ଲୁହାପଥର ପରିବହନ ନେଇ ଦିନକୁ ଦିନ ଖଣି ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି।
ଟ୍ରକ୍ ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ କୌଣସି ସୂଚନା ନଦେଇ ଖଣିରେ ହଠାତ୍ ପରିବହନ ଭଡ଼ା ହ୍ରାସ କରାଯାଇଛି। ଏହାର ପ୍ରତିବାଦରେ ଟ୍ରକ୍ ମାଲିକମାନେ ଧାରଣ ଦେବାରୁ ଏହାକୁ ପ୍ରତିହତ କରିବାପାଇଁ ଗୁଣ୍ଡା ଲଗାଇ ସେମାନଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପଛରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ହାତ ଥିବା ଅଭିଯୋଗ ହୋଇଛି। ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଟୋଆ ପକ୍ଷରୁ ଦାବି କରାଯାଇଛି। ସେହିପରି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ଏହି ଘଟଣାରେ ନିରବ ରହୁଥିବା ବଡ଼ବିଲ ଏସ୍ଡିପିଓଙ୍କ ଅନ୍ୟତ୍ର ବଦଳି ପାଇଁ ଦାବି କରାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମାଟୋଆ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଡିଜେଲ ଦର ୯୦ ଟଙ୍କା ଥିବାବେଳେ ଜଜାଙ୍ଗ ଖଣିରୁ ବିଆର୍ପିଏଲ୍ କାରଖାନାକୁ ଲୁହାପଥର ପରିବହନ ଭଡ଼ା ଟନ୍ ପିଛା ୩୮୩ ଟଙ୍କା ଥିଲା। ଡିଜେଲ ମୂଲ୍ୟ ଏବେ ଶହେ ଛୁଇଁଲାଣି। ଏଭଳି ସ୍ଥିତିରେ ପରିବହନ ଭଡ଼ା ବୃଦ୍ଧି କରିବା ପରିବର୍ତ୍ତେ ଅଚାନକ ୧୪ ତାରିଖରୁ ଏହାକୁ ୩୨୦ଟଙ୍କାକୁ ହ୍ରାସ କରାଯାଇଛି। ପୂର୍ବରୁ ନିର୍ଦ୍ଧାରିତ ପରିବହନ ଭଡ଼ା ଦେବାକୁ ୧୪ ତାରଖରୁ ଖଣି ଫାଟକ ସମ୍ମୁଖରେ ଟ୍ରକ୍ ମାଲିକମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ୧୯ ତାରିଖରେ ଟ୍ରକ୍ ମାଲିକଙ୍କୁ ଆକ୍ରମଣ ପରେ କିଛିଦିନ ପାଇଁ ଧାରଣା ସ୍ଥଗିତ ରହିଥିଲା। ବୁଧବାରଠାରୁ ପୁଣି ଟ୍ରକ୍ ମାଲିକମାନେ ପୁଣି ଧାରଣାରେ ବସିଛନ୍ତି।