ସୁନ୍ଦରଗଡ଼: ସରକାରଙ୍କ ନିଧାର୍ଯ୍ୟ ପରିବହନ ଭଡ଼ା ଓ ଖଣିରେ ଫାଷ୍ଟ କମ୍, ଫାଷ୍ଟ ଲୋଡ୍ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି ଟ୍ରକ ମାଲିକ ସଂଘ। ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଵା ପରେ ବି କୌଣସି ନିଷ୍କର୍ଷ ନ ବାହାରିବାରୁ ଟ୍ରକ ମାଲିକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ତ ଦୋକାନ ଵଜାର, ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।
ଅନ୍ୟପଟେ ବିଜୁ ଏକ୍ସପ୍ରେସ ୱେରେ ସଂଘର କର୍ମକର୍ତ୍ତା ଓ ଟ୍ରକ ପରିବହନ ସହ ଜଡ଼ିତ କର୍ମଚାରୀ ପହଞ୍ଚି ରାସ୍ତାରୋକ କରିଛନ୍ତି। ଫଳରେ ରାଉରକେଲା- ସମ୍ବଲପୁର ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଭାରିଯାନ, ବସ୍ ଓ ଅନ୍ୟ ଗାଡ଼ିମଟର ଅଟକି ରହିଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଟ୍ରକ ମାଲିକମାନେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟି ସରକାରୀ ଭଡ଼ା ସ୍ଥିର କରିବା ଓ ଫାଷ୍ଟ କମ୍, ଫାଷ୍ଟ୍ ଲୋଡ୍ ନିୟମରେ କୋଇଲା ଦେବା ସହ କୋଇଲା ବୋଝେଇ ସମୟରେ ପ୍ରତି ଟ୍ରକରୁ ବେଆଇନ ୨୨ ଶହ ଟଙ୍କା କଟାଯାଉଥିବା ଅଭିଯୋଗ କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି ଜଣାଇଥିଲେ। ଜିଲ୍ଲାପାଳ ଏ ସମ୍ପର୍କରେ ବିଚାର କରି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସନ୍ଧ୍ୟାରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ଟ୍ରକମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।