ଚଢ଼େଇଧରା : ଧର୍ମଶାଳା ଥାନା ଅଧୀନସ୍ଥ ନେଉଳପୁର ପଞ୍ଚାୟତ କଦଳା ଗ୍ରାମର ପ୍ରଦୀପ ସାମଲଙ୍କ ପୁଅ ଟ୍ରକ୍‌ ମାଲିକ ଦେବାଶିଷ (୩୬)ଙ୍କ ମୃତଦେହ ଏକ କୂଅଭିତରୁ ମିଳିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ କୂଅରେ ଫିଙ୍ଗି ଦେଇଛି, ତାହା ସନ୍ଦେହ ସୃଷ୍ଟି କରିଛି।

Advertisment

ପରିବାରରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ ଦେବାଶିଷଙ୍କ ମୋବାଇଲ୍‌କୁ ଫୋନ୍‌ ଆସିଥିଲା। ଦେବାଶିଷ ଘରୁ ନିଜ କାର୍‌ ନେଇ ଯାଇଥିଲେ। ମାତ୍ର ରାତିରେ ଫେରି ନଥିଲେ। ମୋବାଇଲ୍‌ ରିଂ ହୋଇଥିଲା ବେଳେ କେହି ରିସିଭ୍‌ କରି ନଥିଲେ। ସକାଳୁ ଗ୍ରାମ ନିକଟରେ ଥିବା ଏକ କୂଅ ନିକଟରେ ତାର କାରଟି ଥିଲା। ପରିବାର ପକ୍ଷରୁ କୂଅ ନିକଟରେ ଖୋଜାଖୋଜି କରିବା ବେଳେ ଦେବାଶିଷଙ୍କ ଚପଲ ପାଣିରେ ଭାସୁଥିବା ନଜରକୁ ଆସିଥିଲା। ପରେ ଗ୍ରାମରୁ ପରିବାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଧର୍ମଶାଳା ପୁଲିସ୍‌ ଓ ଅଗ୍ନିସେବା ସଂସ୍ଥାକୁ ଖବର ଦିଆଯାଇଥିଲା।

ଧର୍ମଶାଳା ଦମକଳ ବାହିନୀ କଦଳା ଗ୍ରାମରେ ପହଞ୍ଚି କୂଅ ଭିତରୁ ଦେବାଶିଷଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଧର୍ମଶାଳା ପୁଲିସ୍‌ ଅଧିକାରୀ ଅମିତାଭ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଯାଜପୁରଟାଉନ୍‌ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ମୃତ ଦେବାଶିଷଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚାଲୁ ରଖିଥିବା ଧର୍ମଶାଳା ଥାନାଧିକାରୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଓ ତଦନ୍ତ ପ୍ରକ୍ରିୟା ତ୍ଵରାନ୍ଵିତ ହୋଇ ପାରିବ ବୋଲି କହିଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ଚଣ୍ଡିଖୋଲର ଏକ ନିର୍ଦିଷ୍ଟ ପେଟ୍ରୋଲ ପମ୍ପରେ ତେଲ ପକାଇ ଦେବାଶିଷ ଘରକୁ ଫେରିବା ଲୋକେ ଦେଖି ଥିବା ଜଣାପଡ଼ିଛି। ଦେବାଶିଷ ବ୍ୟବହୃତ କାର୍‌ର ଚାବି ଅନ୍‌ ରହିଥିବା ଓ ମୋବାଇଲ୍‌ ନ ମିଳିବା ଯୋଗୁଁ ସ୍ଥାନୀୟ ଲୋକେ ତଥା ପରିବାର ସଦସ୍ୟଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ନାଁ ଅପମୃତ୍ୟୁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ।