ଟ୍ରକ ଟର୍ମିନାଲ ଅସଂପୂର୍ଣ୍ଣ: ରାଜପଥ ଉପରେ ଟ୍ରକ ପାର୍କିଂ

ଚମ୍ପୁଆ: ଟ୍ରକ୍ ଟର୍ମିନାଲ ନିର୍ମାଣ କାମ ଶେଷ ହେଉ ନଥିବାରୁ ରାଜପଥ ଉପରେ ବେଆଇନ ଭାବ‌େରେ ଟ୍ରକ୍ ପାର୍କିଂ କରାଯାଉଛି। ଫଳରେ ରାଜପଥ ଜାମ୍ ହେବା ସହିତ ଦୁର୍ଘଟଣା ବଢ଼ୁଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ କେ‌ବେ ଟ୍ରକ୍ ଟର୍ମିନାଲ କାମ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚମ୍ପୁଆ ଉପଖଣ୍ତ ଯୋଡ଼ା ଖଣିମଣ୍ତଳରେ ରାସ୍ତା ଜାମ ନ ହେବା ଓ ଡ୍ରାଇଭରଙ୍କ ସୁବିଧା ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫୨୦ନମ୍ବର ଜାତୀୟ ରାଜପଥର ନାରଦପୁର ଶିଶୁମନ୍ଦିର ସମ୍ମୁଖରେ ଏକ ଟ୍ରକ୍ ଟର୍ମିନାଲ ନିର୍ମାଣ କରାଯାଉଛି। ଦୀର୍ଘ ଦୁଇବର୍ଷ ହେବ ଏହା ନିର୍ମାଣାଧୀନ ରହିଥିବା ବେଳେ ତାହା ସଂପୂର୍ଣ୍ଣ ହୋଇପାରୁ ନାହିଁ। ଟର୍ମିନାଲ ସ୍ଥଳରେ ରେଷ୍ଟୁରାଣ୍ଟ, ଶୌଚାଳୟ, ଦୋକାନ, ରେଷ୍ଟରୁମ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା କରାଯାଇଛି। ତେବେ ଜଳ ଯୋଗାଣ, ଉଜ୍ଜ୍ବଳ ଆଲୋକ, ଶୌଚାଳୟ କାର୍ଯ୍ୟ ଏବେ ସୁଦ୍ଧା ସଂପୂର୍ଣ୍ଣ ହୋଇପାରି ନାହିଁ। ଫଳରେ ଖଣି ଅଞ୍ଚଳକୁ ଦୈନିକ ଆସୁଥିବା ହଜାର ହଜାର ଟ୍ରକ ଏଠାରେ ଟ୍ରକ୍ ପାର୍କିଂ କରିପାରୁ ନାହାନ୍ତି। ବାଧ୍ୟ ହୋଇ ଟ୍ରକ୍ ଡ୍ରାଇଭରମାନେ ରାଜପଥ କଡ, ଢାବା ଓ ଓଭରବ୍ରିଜ ନିକଟରେ ପାର୍କିଂ କରୁଛନ୍ତି। ସେଠାରେ ରାତି କଟାଇବା ପରେ ସକାଳେ ଖଣି ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ରାସ୍ତା କଡ଼ରେ ବେଆଇନ୍ ଟ୍ରକ ପାର୍କିଂ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନହାନି ହେଉଛି।

ଦୈନିକ ସକାଳେ ଓ ସନ୍ଧ୍ୟାରେ କଣ୍ତରା ଟୋଲଗେଟ ପାର ହେବା ପରେ କାରଣସାହି, ବିଲେଇପଦା, କାଳିଆବେଡା ପର୍ଯ୍ୟନ୍ତ ଲମ୍ବା ଲାଇନରେ ଟ୍ରକଗୁଡିକ ଜାମରେ ଅଟକି ରହୁଛନ୍ତି। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ବିଲେଇପଦା ଛକରେ ଅନେକ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ରହିଥିଲେ ମଧ୍ୟ ଗାଡ଼ି ନିୟନ୍ତ୍ରଣ କରିବା ବିପଜ୍ଜନକ ହୋଇପଡିଛି। ବାଇକ୍‌ ଆରୋହୀମାନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି।
ଖଣି କମ୍ପାନି ତରଫରୁ ନିଜସ୍ବ ପାର୍କିଂ ବ୍ୟବସ୍ଥା କରାଯିବାର ନିୟମ ରହିଥିଲେ ମଧ୍ୟ କିଛି ଖଣି କମ୍ପାନି ପାର୍କିଂ ବ୍ୟବସ୍ଥା କରିନଥିବା ଅଭିଯୋଗ ହେଉଛି। ଏ ଦିଗରେ ପ୍ରଶାସନ ମଧ୍ୟ ତଦାରଖ କରିବା ପରିବର୍ତ୍ତେ ଚୁପ ହୋଇ ବସିଛି। ଏହାର ପରିଣାମ ଭୋଗୁଛନ୍ତି ଜନସାଧାରଣ। ରିମୁଳି ଠାରୁ ବିଲେଇପଦା ପର୍ଯ୍ୟନ୍ତ ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଉଛି। ଏହି ପାର୍କିଂସ୍ଥଳରେ କୌଣସି ସୂଚନାଫଳକ ମଧ୍ୟ ଲଗାଯାଇ ନାହିଁ। ଏଣୁ ତୁରନ୍ତ ଏହି ଟ୍ରକ ଟର୍ମିନାଲାକୁ ସଂପୂର୍ଣ୍ଣ କରିବାକୁ ନାରଦପୁର ପୂର୍ବତନ ସରପଞ୍ଚ କିଶୋର କୁମାର ନାଏକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର