ଗାଡି ସଜଡା ବିଳମ୍ବ ହେବାରୁ କ୍ୟାବିନ୍‌କୁ ଟ୍ରକ୍‌ ପଛରେ ବାନ୍ଧି ଘୋଷାରି ନେଲେ ଚାଳକ, ଭିଡିଓ ଭାଇରାଲ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପେଟ୍ରାଲ୍ ଟାଙ୍କି ଛକ ନିକଟରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗାଡ଼ି ସଜାଡ଼ିବାରେ ବିଳମ୍ବ ହେବାରୁ ପୂରା ଗ୍ୟାରେଜ୍‌କୁ ଟ୍ରକ୍‌ ପଛରେ ବାନ୍ଧି ଘୋଷାଡ଼ି ନେଇଯାଇଛନ୍ତି ଡ୍ରାଇଭର। ଏହି ସମୟରେ ଭିଡିଓ ଭାଇରାଲ ହୋଇଥିବା ବେଳେ ମାମଲା ଥାନାରେ ପହଞ୍ଚିଛି।

ଘଟଣାରୁ ପ୍ରକାଶ ଯେ ନିକଟସ୍ଥ ପଣ୍ତୁଆ ଗ୍ରାମର ଆଜାରରୁଦ୍ଧିନ ଖାଁ (ଜାନୁ) ନାମକ ଜଣେ ଯୁବକ ଖଲଣା ପେଟ୍ରୋଲ ଟାଙ୍କି ଛକ ନିକଟରେ ଏକ କ୍ୟାବିନ୍‌ ପକାଇ ମେକାନିକ କାର୍ଯ୍ୟ କରନ୍ତି। ସ୍ଥାନୀୟ ବଡପଦନା ଗ୍ରାମର ହଳଧର ସାହୁଙ୍କ ପୁଅ ବିଜୟକୁମାର ସାହୁ(୪୦) ୬ ଦିନ ପୂର୍ବେ ତାଙ୍କ ( ଓଡି୦୯କିୟୁ ୩୬୮୧ ନମ୍ବର) ୧୪ ଚକିଆ ଟ୍ରକର ଡାଇନାମା କାମ କରିଥିଲେ। କିନ୍ତୁ ଆଜି ହଠାତ ଏଥିରେ ତ୍ରୁଟି ଦେଖାଯିବାରୁ ସେ ଗାଡିଟିକୁ ପୁନର୍ବାର କାମ କରିବାକୁ ଆଣି ଫୋନରେ ଯୋଗାଯୋଗ କରିଥିଲେ। ହେଲେ ସେ ଦୋକାନ ବନ୍ଦ କରି ବାହାରକୁ ଯାଇଥିବାରୁ ଟିକେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ। ବିଳମ୍ବ ହେବାରୁ ରାଗିଯାଇ ବିଜୟ ଏବଂ ତାଙ୍କ ଡ୍ରାଇଭର ସେଠାରେ ଗାଳିଗୁଲଜ କରିବା ସହ କ୍ୟାବିନ୍‌ଟିକୁ ଟ୍ରକ ପଛରେ ବାନ୍ଧି ୨୦ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ୪ କିଲୋମିଟର ରାସ୍ତା ଘୋଷାଡି ନେଇ ବଡପଦନ ଛକ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହାର କିଛି ସମୟ ପରେ ଆଜାରୁଦ୍ଧିନ ପହଞ୍ଚି ଘଟଣା ସଂପର୍କରେ ଜାଣିବା ପରେ ସାଇଁକୁଳ ଫାଣ୍ତିରେ ଲିଖିତ ଅଭଯୋଗ କରିଛନ୍ତି।

ଗ୍ୟାରେଜର ବିଭିନ୍ନ ଯନ୍ତ୍ରପାତି ସହ ୧୦ଟି ଗାଡି ବ୍ୟାଟେରି, ୬ ଟି ଗାଡି ସେଲଫ ଏବଂ ୪ ହଜାର ୫ଶହ ଟଙ୍କା ଗାଏବ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ସମସ୍ତ ଘଟଣାକୁ ଜଣେ ବ୍ୟକ୍ତି ମୋବାଇଲରେ ଭିଡିଓ ସୁଟ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ରାମଚନ୍ଦ୍ରପୁର ଥାନାରେ କେସ ନମ୍ବର ୧୩/୨୧ରେ ଏକ ମାମଲା ରୁଜୁ ହୋଇଛି। ସାଇଁକୁଳ ଫାଣ୍ତି ଅଧିକାରୀ ପରେଶ କୁମାର ମହାନ୍ତି ଘଟଣା ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର