ପାଟଣାଗଡ଼: ଭାଇଙ୍କୁ ରାଖି ବାନ୍ଧି ଫେରିଲା ପରେ ତରବରିଆ ଭାବେ କଲେଜକୁ ସାଇକେଲ ଚଳାଇ ପାଠ ପଢ଼ିଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ (୪୦୭) ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଙ୍କ ଉପରେ ଚଢ଼ି ଯାଇଛି। ଏହି ଦୁର୍ଘଟଣାରେ ସଂପୃକ୍ତ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼–ଧୁମାଭଟା ରାସ୍ତାରେ ଥିବା କଲେଜ ଛକ ନିକଟରେ ଶୁକ୍ରବାର ପୂର୍ବାହ୍‌ଣରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଛାତ୍ରୀ ହେଲେ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ଯୁକ୍ତ ତିନି କଳା ବିଭାଗର ଶେଷ ବର୍ଷର ଛାତ୍ରୀ ସ୍ମିତା ଶୁଭଦର୍ଶିନୀ ପ୍ରଧାନ।

Advertisment

ସୂଚନା ଅନୁସାରେ ରାଖି ପୂର୍ଣ୍ଣମୀରେ ମହାବିଦ୍ୟାଳୟ ଛୁଟି ରହିଥିଲା। ତେଣୁ ଛୁଟିରେ ସ୍ମିତା ନିଜ ଘର ମହୀମୁଣ୍ଡା ପୋଷ୍ଟ ଅଫିସ ଅନ୍ତର୍ଗତ ସିରାବାହାଲ ଗ୍ରାମକୁ ଯାଇଥିଲେ। ଶୁକ୍ରବାର କଲେଜ ଖୋଲା ଥିବାରୁ ସେ ସକାଳୁ ନିଜ ଗ୍ରାମରୁ ବାହାରି ପାଟଣାଗଡ଼ରେ ରହୁଥିବା ଘରୋଇ ହଷ୍ଟେଲରେ ପହଞ୍ଚିଥିଲେ। ହଷ୍ଟେଲରେ ପହଞ୍ଚି ତୁରନ୍ତ କଲେଜ ଅଭିମୁଖେ ସାଇକଲ ନେଇ ବାହାରିଥିଲେ। ଧୁମାଭଟା ରାସ୍ତାରେ ଥିବା କଲେଜ ଛକ ଠାରେ ରାସ୍ତ ବୁଲି ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ (୪୦୭) ତାଙ୍କୁ ଦଳି ଦେଇଥିଲାା ଫଳରେ ସେଠାରେ ସେ ରକ୍ତାକ୍ତ ହୋଇ ଗୁରୁତର ତଥା ମୁମୁର୍ଷୁ ଅବସ୍ଥାରେ ପଡ଼ି ଯାଇଥିଲେ। ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଏ ନେଇ କୌରସି ମାମଲା ରଜୁ କରାଯାଇ ନ ଥିବା ଜଣାପଡିଛି। ଦୁର୍ଘଟଣା ଭିଆଇଥିବା ୪୦୭କୁ ପୁଲିସ ଥାନାକୁ ଆଣି ରଖିଥିବା ସୂଚନା ମିଳିଛି। ଏହି ଘଟଣା ନେଇ ପାଟଣାଗଡ଼ର ଜୈନିକ ବିତ୍ତଶାଳୀଙ୍କ ଗାଡ଼ି ବୋଲି ସହର ମଧ୍ୟରେ ଜୋରଦାର ଆଲୋଚନା ହେଉଛି। ତେବେ ଏ ଦିଗରେ ପୁଲିସର କାର୍ଯ୍ୟନୁଷ୍ଠାନକୁ ନେଇ ସହର ମଧ୍ୟରେ ନାନା ‌ଆଲୋଚନା ହେଉଛି। ଏ ସମ୍ପର୍କରେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନଙ୍କୁ ପଚରାଯିବାରୁ, ଦୁର୍ଘଟଣା ଭିଆଇଥିବା ୪୦୭ (ଓଆର ୦୩ଏଫ ୧୧୩୧)କୁ ଜବତ୍ କରା ଯାଇଛି। ଗାଡ଼ିଟି କାହାର ସେ ନେଇ ତଦନ୍ତ ଚାଲିଛି।

ପ୍ରକାଶ ଥାଉ କି, ସ୍ମିତା ଶୁଭଦର୍ଶିନୀ ପ୍ରଧାନ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ଯୁକ୍ତ ତିନି ଇଂରାଜୀ ସମ୍ମାନ ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ। ତାଙ୍କ ବାପା କଳ୍ପତରୁ ପ୍ରଧାନ ମହୀମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଜଣାପଡ଼ିଛି। ସେ ନିଜର ଏକମାତ୍ର ଭାଇକୁ ରାଖି ବାନ୍ଧିବା ପାଇଁ ଛୁଟିରେ ଯାଇ ଆଜି ପୂର୍ବାହ୍‌ଣରେ ଫେରିଥିଲେ।