ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ କୁଲେଇଛକ ନିକଟ ବୁଲାଣିରେ ଆଜି ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କା ଯୋଗୁ ବାଇକ୍ରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶବ ଚିହ୍ନଟ କରିବା କଷ୍ଟକର ହୋଇଥିଲା। ମୃତକମାନେ ହେଲେ ଖାଲପାଳ ଗାଁର ଟୁଟୁ ମଲ୍ଲିକ, କୁଲେଇ ଗ୍ରାମର ସନ୍ତୋଷ ମଲ୍ଲିକ, କଟୁମୁଣ୍ଡା ଗାଁର ଗୋପବନ୍ଧୁ ନାୟକ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ବହୁସଂଖ୍ୟାରେ ପହଞ୍ଚିଥିଲେ। ରାସ୍ତା ଜାମ୍ ହୋଇଯାଇଥିବା ବେଳେ ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି।
୧୪୯ ନମ୍ବର ଜାତୀୟ ରାଜପଥର ପିତିରିରୁ ଦଦାରାଘାଟି ମଧ୍ୟରେ ରାତି ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରକ୍ଟି ଦଦରାଘାଟିରୁ ପିତିରି ଯାଉଥିବା ବେଳେ କୁଲେଇ ଗାଁସ୍ଥିତ ଜିଏମ୍ ଆଣ୍ଡ ଆଇରନ୍ ଷ୍ଟିଲ୍ପ୍ଲାଣ୍ଟ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଉପରେ ଚଢ଼ିଯାଇ ପ୍ରାୟ ଶହେ ମିଟର ଦୂରକୁ ଘୋଷାରି ନେଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରାସ୍ତାରେ ବିଛାଡ଼ି ପଡ଼ିଥିଲା। ଏହି ରାସ୍ତାରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଚଳାଇଛି। ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍କୁ ଖୋଜା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/15/bike-accident-2025-11-15-23-59-28.jpg)