ପାଣି ପାଇପ୍‌ ବୋଝେଇ ଟ୍ରକ୍‌ ଜବତ, ୭ ଗିରଫ

ଘଟଗାଁ : ଘଟଗାଁ ଥାନା ପୁଲିସ ଘଟଗାଁ-ହରିଚନ୍ଦନପୁର ରାସ୍ତାରୁ ଏକ ପାଣି ପାଇପ୍‌ ବୋଝେଇ ଟ୍ରକ୍‌ ଜବତ କରିବା ସହ ୭ଜଣକୁ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ ‘ବସୁଧା’ ଯୋଜନାରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛି ଏଲ୍‌ ଆଣ୍ଡ ଟି କମ୍ପାନି। ଘଟଗାଁ-ହରିଚନ୍ଦନପୁର ରାସ୍ତାର କୋଳିପଶିଠାରେ କମ୍ପାନି ପକ୍ଷରୁ ପ୍ରକଳ୍ପରେ ବ୍ୟବହୃତ ପାଣି ପାଇପ୍‌ ଗଦା ଯାଇଛି। ନିକଟରେ କମ୍ପାନି କର୍ମଚାରୀମାନେ ଏକ କ୍ୟାମ୍ପ କରି ରହୁଛନ୍ତି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଏକ ଟ୍ରକ୍‌ରେ ପାଣି ପାଇପ୍‌ ବୋଝେଇ କରି ନେଇଯିବାକୁ ଉଦ୍ୟମ କରୁଥିଲେ। ଖବର ପାଇ ଘଟଗାଁ ଥାନା ଅଧିକାରୀ ପ୍ରତିଭାମଞ୍ଜରୀ ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପାଣି ପାଇପ୍‌ ବୋଝେଇ ଟ୍ରକ୍‌ ଜବତ କରିଛନ୍ତି। ଚଢ଼ଉ ସମୟରେ କିଛି ଦୁର୍ବୃତ୍ତ ଖସି ଯାଇଥିବା ବେଳେ ପୁଲିସ ୭ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ‌ ହେଲେ ଗଞ୍ଜାମର ନରେନ୍ଦ୍ର ପାତ୍ର, ଉତ୍ତରପ୍ରଦେଶ ବନାରସ ଜିଲ୍ଲା ବଡ଼ଗାଁ ଥାନା ଇଦିଲପୁରର ପ୍ରଭାକର ପ୍ରସାଦ, ଭୁବନେଶ୍ବର ଏ‌ୟାରଫିଲ୍ଡ ଥାନା କାର୍ଗିଲବସ୍ତିର ନାରାୟଣ ସେଠୀ, ଗଞ୍ଜାମର ରଂଜନ କୁମାର ବେହେରା, ଶଙ୍କର ପାତ୍ର, ଭୁବନେଶ୍ବର ସୁନ୍ଦରପଦାର ବିଶ୍ବନାଥ ବାରିକ, ନୟାଗଡ଼ ଶରଣକୂଳର ଜଗନ୍ନାଥ ପାତ୍ର। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଟ୍ରକ୍‌ରେ ୨୯ଟି ପାଇପ୍‌ ବୋଝେଇ ହୋଇଥିଲା ବୋଲି ପୁଲିସ କହିଛି। ଏଲ୍‌ ଆଣ୍ଡ ଟି କମ୍ପାନିର ଏମ୍‌ଏମ୍‌ କାନନଙ୍କ ଅଭିଯୋଗକ୍ରମେ ଘଟଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର