ଭୁବନେଶ୍ୱର : ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟ୍ରକ୍ ଧର୍ମଘଟରେ ଓଡ଼ିଶାର ଟ୍ରକ୍ ମାଲିକ ମହାସଂଘ ସାମିଲ ହୋଇଛି। ରାଜ୍ୟରେ ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଏହି ଧର୍ମଘଟକୁ ରାଜ୍ୟରେ ମିଶ୍ରିତ ସମର୍ଥନ ମିଳିଛି। ଅନେକ ସ୍ଥାନରେ ଟ୍ରକ୍ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ସ୍ଥାନରେ ଟ୍ରକ୍ ଚାଲୁଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଥିବା ୨ ଲକ୍ଷ ପାଖାପାଖି ଟ୍ରକ୍ର ଚଳାଚଳ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି ରାଜ୍ୟ ଟ୍ରକ ମାଲିକ ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ କହିଛନ୍ତି।
ଶ୍ରୀ ଦାସ କହିଥିଲେ, ଟ୍ରକ୍ ଧର୍ମଘଟ ଯୋଗୁଁ ଅନେକ ଅସୁବିଧା ହେବ। ପନିପରିବାଠାରୁ ଆରମ୍ଭ କରି ସବୁ ପ୍ରକାର ସାମଗ୍ରୀର ପରିବହନ ବାଧାପ୍ରାପ୍ତ ହେବ। ପେଟ୍ରୋଲ୍ ପମ୍ପ୍ରେ ଡିଜେଲ୍ ବିକ୍ରି କମିଯିବ। ଟ୍ରକ୍ ଉପରେ ନିର୍ଭରଶୀଳ ଥିବା ଡ୍ରାଇଭର୍, ହେଲ୍ପର୍, ଗ୍ୟାରେଜ୍ ଓ ଢାବାଗୁଡ଼ିକ ପ୍ରଭାବିତ ହେବେ। ବହୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବଢ଼ିବ।
ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ଟିକସ ହ୍ରାସ କରିବା, ଟୋଲ୍ ଶୁଳ୍କ ଉଚ୍ଛେଦ, ଡିଜେଲକୁ ଜିଏସ୍ଟି ପରିସରକୁ ଆଣିବା, ତୃତୀୟ ପକ୍ଷ ବୀମା ପ୍ରିମିୟମ ହ୍ରାସ କରିବା ଏବଂ ଏହି ବୀମା ପ୍ରି୍ରିମିୟମ ଉପରୁ ଜିଏସ୍ଟି ଛାଡ଼ କରିବା ଆଦି ଦାବି ଟ୍ରକ୍ ସଂଘ କରିଛି।
ଶ୍ରୀ ଦାସ କହିଥିଲେ, ସାରା ଦେଶରେ ୯୩ ଲକ୍ଷ ଟ୍ରକ୍ର ଚଳାଚଳ ବନ୍ଦ ରହିବ। ଟ୍ରକ୍ ଚଳାଚଳ ବନ୍ଦ ରହୁଥିବାରୁ ଦିନକୁ ଦେଶରେ ଚାରି ହଜାର କୋଟି ଟଙ୍କାର କ୍ଷତି ହେବ। ତେବେ ରାଜ୍ୟରେ କେତେ କ୍ଷତି ହେବ ତାହାକୁ ଆକଳନ କରାଯାଇନଥିଲେ ମଧ୍ୟ ଏକ ୧୨ ଚକିଆ ଟ୍ରକ୍ରେ ଦିନକୁ ଦୁଇ ହଜାର ଟଙ୍କାର ପର୍ଯ୍ୟନ୍ତ ଖର୍ଚ ହୋଇଥାଏ ବୋଲି ସେ କହିଛନ୍ତି। ସେହି ଅନୁସାରେ ହିସାବ କଲେ ରାଜ୍ୟରେ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ହେବ ବୋଲି ସେ କହିଥିଲେ। କେବଳ ଟୋଲ୍ ଗେଟ୍ଗୁଡ଼ିକରେ ଗାଡ଼ିଗୁଡ଼ିକ ଠିଆ ହୋଇ ରହୁଥିବାରୁ ପ୍ରତିବର୍ଷ ୩୨ ହଜାର କୋଟି ଟଙ୍କାର କ୍ଷତି ହେଉଛି। ଅଯଥାରେ ଡିଜେଲ୍ ପୋଡ଼ୁଛି ଓ ଡ୍ରାଇଭର୍ ଓ ହେଲ୍ପର୍ଙ୍କୁ ନାନା ପ୍ରକାର ହଇରାଣ ହରକତ ହେବାକୁ ପଡୁଛି।
ଗୋଟିଏ ଟ୍ରକ୍ ଉପରେ ପାଖାପାଖି ୧୦-୧୧ ଜଣଙ୍କ ଜୀବିକା ନିର୍ଭର କରୁଛି ବୋଲି ଶ୍ରୀ ଦାସ କହିଛନ୍ତି। ଟ୍ରକ୍ ବନ୍ଦ ରହିଲେ ଏହି ସବୁ ଲୋକଙ୍କ ପରିବାରର ଆୟ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସର୍ବଭାରତୀୟ ଧର୍ମଘଟକୁ ଏଡ଼ାଇବା ପାଇଁ ଟ୍ରକ୍ ସଂଘର ପ୍ରତିନିଧିମାନେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିଲା। ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ଅଧୀନରେ ରାଜ୍ୟର ୪୭ଟି ଆଞ୍ଚଳିକ ସଂଘ ରହିଛନ୍ତି।