ଟ୍ରକ ଚୋରି ରୢାକେଟ ପର୍ଦାଫାସ: ୩ ଗିରଫ

ବଡ଼ବିଲ: ଅନ୍ତଃରାଜ୍ୟ ଟ୍ରକ ଚୋରା ରାକେଟର ପର୍ଦ୍ଦାଫାସ କରିଛି ବଡ଼ବିଲ ପୁଲିସ। ରାକେଟର ୩ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ଟ୍ରକ ଜବତ୍ କରିଛି। ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଦୁଇଟି ଥାନାରେ ଦୁଇଟି ପୃଥକ ପୃଥକ ଘଟଣାରେ ୩ ଅନ୍ତଃରାଜ୍ୟ ଗାଡ଼ି ଚୋରଙ୍କୁ ଗିରଫ କରାଯାଇଛି। ଗିରଫ ୩ ଜଣ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ମହାନ୍ତବସ୍ତିର ଅଲତାବ୍ ଖାନ(୨୭), ପଡୋଶୀ ଝାରଖଣ୍ଡ ରାଜ୍ୟ, ଜୟନୀଗଡ଼ ଥାନା, ଜଗନ୍ନାଥପୁର ଅଂଚଳର ଶେଖ୍ ପରବେଜ୍(୧୯) ଓ ଏମଡି.ଦାନିଶ୍(୧୯)। ଖବର ଅନୁଯାୟୀ ଗତ ଜାନୁଆରି ୧୫ ତାରିଖରେ ବଡ଼ବିଲ ଥାନା ଷ୍ଟେସନରୋଡ ସ୍ଥିତ ଅରୁଣ କୁମାର ସାହୁଙ୍କ ହାଇୱା(ଓଡି୧୬ସି-୧୦୧୧)କୁ କେହି ଚୋରି କରିନେଇଥିବା ଶ୍ରୀ ସାହୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ବଡ଼ବିଲ ପୁଲିସ ପକ୍ଷରୁ କେସ ନମ୍ବର ୬/ ୧୫.୦୧.୨୦୨୨ ରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଗତ ଫେବ୍ରୁଆରି ୧୫ ତାରିଖରେ ଚମ୍ପୁଆ ଥାନା ଅଞ୍ଚଳରୁ ଅନ୍ୟ ଏକ ଟ୍ରକ(ଓଡ଼ି୦୪ଏନ୍-୫୫୨୨)କୁ ମଧ୍ୟ କେହି ଚୋରି କରିନେଇଥିବାନେଇ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହି ଚୋରା ରାକେଟ୍ କୁ ଠାବ କରିବାପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବ‌ାବଧାନରେ ଚମ୍ପୁଆ ଓ ବଡ଼ବିଲ ଥାନା ଅଧକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ ଦଳ ବିଭିନ୍ନ ସ୍ଥାନରେ ଚଢ଼ଉକରି ଆଜି ଉଭୟ ଚମ୍ପୁଆ ଓ ବଡ଼ବିଲ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ଟ୍ରକକୁ ଉଦ୍ଧାର କରିଛି। ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯିବା ସହତ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର