ବରସୁଆଁ ଘାଟିରୁ ଖସିଲା ଟ୍ରକ୍‌; ଚାଳକ ମୃତ

କୋଇଡ଼ା: ବରସୁଆଁ ଘାଟି ହନୁମାନ ମନ୍ଦିର ମୋଡ଼ରେ ଭାରସାମ୍ୟ ହରାଇ ଓଡ଼ି ୧୪ଏସ୍‌ ୦୫୧୫ ଲୁହାପଥର ବୋଝେଇ ଟ୍ରକ୍‌ଟି ଖସି ପଡ଼ିବାରୁ ଗାଡ଼ି ଚାଳକ କେଡି ଯାଦବ(୩୧)ଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ ଟେନସାରୁ ଲୁହାପଥର ବୋଝେଇ କରି ଓଡ଼ି ୧୪ଏସ୍‌ ୦୫୧୫ ଟ୍ରକ୍‌ଟି ରାଉରକେଲା ଅଭିମୁଖେ ଯାତ୍ରାରମ୍ଭ କରିଥିଲା। ଅପରାହ୍‌ଣ ପ୍ରାୟ ୨ଟା ସମୟରେ ବରସୁଆଁ ଘାଟିର ହନୁମାନ ମନ୍ଦିର ମୋଡ଼ ଅତିକ୍ରମ କଲାବେଳେ ଗାଡ଼ିଟି ଭାରସାମ୍ୟ ହରାଇ ୩୦ଫୁଟ୍‌ ଘାଟି ତଳକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗାଡ଼ି ଚାଳକ କେଡି ଯାଦବଙ୍କର ମୃତ୍ୟୁ ହୋଇଥିଲା।

ମୃତ ଗାଡ଼ି ଚାଳକ ଜଣଙ୍କ ବିହାର ଗୟା ଜିଲ୍ଲା ବାରଚଟ୍ଟି ଅଞ୍ଚଳର। ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପରିବାର ବର୍ଗଙ୍କୁ ଯୋଗାଯୋଗ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ଓ ବେପରୁଆ ଗାଡି ଚାଳଣା ଯୋଗୁ ଖଣି ଅଞ୍ଚଳରେ ପ୍ରତିଦିନ ଦୁର୍ଘଟଣାରେ ଜୀବନ ଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର