୩ ଲକ୍ଷ ଟଙ୍କାର କୁଡ୍ଡୁ କାଠ ସହ ଟ୍ରକ୍‌ ଜବତ କଲା ବନ ବିଭାଗ

ଯୁଯୁମୁରା: ସମ୍ବଲପୁର ସଦର ରେଞ୍ଜ୍‌ ଅନ୍ତର୍ଗତ ଯୁଯୁମୁରା ସେକ୍‌ସନ୍‌ ବ୍ରାହ୍ମଣୀନାଳୀ ଗ୍ରାମ୍ୟ ଜଙ୍ଗଲରୁ ବନ ବିଭାଗ କୁଡ୍ଡୁକାଠ ବୋଝେଇ ହୋଇଥିବା ଏକ ଦଶ ଚକିଆ ଟ୍ରକ୍‌ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ସଦର ରେଞ୍ଜର ଅକ୍ଷୟ ମହାରଣାଙ୍କ ନେତୃତ୍ବରେ ବସିଆପଡ଼ା ଫରେଷ୍ଟର୍‌ ପ୍ରଶାନ୍ତ ଓରାମ, ଗାର୍ଡ ଲୀନା ଦାସ ଓ ସ୍କ୍ବାଡ୍‌ ସୋମବାର ରାତି ପ୍ରାୟ ୩ଟା ୩୦ରେ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ। ତେବେ ବନ ବିଭାଗ ପହଞ୍ଚିବା ପୂର୍ବରୁ କାଠ ମାଫିଆମାନେ ଫେରାର ହୋଇଯାଇଥିଲେ।

ଘଟଣାସ୍ଥଳରେ ଦଶ ଚକିଆ ଟ୍ରକ୍‌ (ଓଆର୍‌-୧୫ଏଲ୍‌-୫୩୯୭)ରେ କାଠ ଭର୍ତ୍ତି ହୋଇଥିବା ଦେଖାଯାଇଥିଲା। ଏ ବାବଦରେ ଶ୍ରୀ ମହାରଣାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ‌ଯେ, ଜବତ କାଠର ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ତେବେ ଏହି କାଠ ସାଧାରଣତଃ ଖେଳଣା ତିଆରି କରିବାରେ ବ୍ୟବହାର କରାଯାଏ। କାଠକୁ ରାୟପୁରକୁ ଚାଲାଣ କରାଯାଉଥିଲା ବୋଲି ସେ ସୂଚନା ‌ଦେଇଛନ୍ତି। ସେକ୍ସନ୍‌-୫୬ ଓ କେସ୍‌ ନମ୍ବର ୯/୨୧-୨୨ରେ ଏକ ମାମଲା ରୁଜୁ କରି ବନ ବିଭାଗ ଏହାର ଅଧିକ ତଦନ୍ତ ଚଳାଇଛି। ଏହା ସହ ଟ୍ରକ୍‌କୁ ଜବତ କରି ସମ୍ବଲପୁର ବନ ବିଭାଗ କାର୍ଯ୍ୟାଳୟ ପରିସରରେ ରଖାଯାଇଛି।

ସମ୍ବନ୍ଧିତ ଖବର