ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଟ୍ରକ୍‌ ଧର୍ମଘଟ

ଟ୍ୟାକ୍ସ୍‍ ବୃଦ୍ଧି ଓ ଚେକିଂ ନାଁରେ ପାଉଣା ଆଦାୟ ପ୍ରତିବାଦ

ଅନୁଗୁଳ : ଗ୍ରିନ୍‌ ଟ୍ୟାକ୍ସ୍‌ ପ୍ରଚଳନ, ଟ୍ୟାକ୍ସ ବୃଦ୍ଧି ଓ ଚେକିଂ ନାଁରେ ବ୍ୟାପକ ଅର୍ଥ ଆଦାୟ ପ୍ରତିବାଦରେ ଆସନ୍ତା ୧୫ତାରିଖ ମଧ୍ୟରାତ୍ରିରୁ ରାଜ୍ୟବ୍ୟାପୀ ଟ୍ରକ୍‌ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ। ଅନୁଗୁଳରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ ଏ ସଂପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ୧୫ବର୍ଷରୁ ଅଧିକ ପୁରୁଣା ଟ୍ରକ୍‌ଗୁଡ଼ିକ ଉପରେ ବାର୍ଷିକ ୪ହଜାର ଟଙ୍କା ଗ୍ରିନ୍‌ ଟ୍ୟାକ୍ସ୍‍ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ସଂଗେ ସଂଗେ ୧୦, ୧୨, ୧୪ ଚକିଆ ଓ ତା’ଠାରୁ ଅଧିକ ମାଲ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ ଉପରେ ଅହେତୁକ ରୋଡ୍‌ ଟ୍ୟାକ୍ସ୍‍ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଚେକିଂ ଆଳରେ ବ୍ୟାପକ ପାଉଣା ଆଦାୟ ହେଉଛି। ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ସେହିପରି ମହାସଂଘ ସାଧାରଣ ସଂପାଦକ ରବି ନାରାୟଣ ଶତପଥୀ କହିଛନ୍ତି ଯେ, ରାସ୍ତାରେ ଏ ପ୍ରକାର ହଇରାଣ ତଥା ପାଉଣା ଆଦାୟ ପ୍ରତିକାର ଏବଂ ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଅନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଥିବା ସମସ୍ତ ତନଖି ଫାଟକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଛେଦ କରିଛନ୍ତି। ମାତ୍ର ଫାଟକରେ ପୂର୍ବରୁ କାର୍ଯ୍ୟ କରୁଥିବା ଜୁନିଅର ଏମ୍‌ଭିଆଇ ଓ ପରିବହନ ବିଭାଗରେ ଟ୍ରାଫିକ୍‌ ଇନିସ୍ପେକ୍ଟରମାନେ ଚେକିଂ ଆଳରେ ଟ୍ରକ୍‌ ଗୁଡ଼ିକରୁ ପାଉଣା ଆଦାୟ କରୁଛନ୍ତି। ଟଙ୍କା ନ ଦେଲେ ବିଭିନ୍ନ ଆଳ ଦେଖାଇ ମିଥ୍ୟା କେସ୍‌ ରୁଜୁ କରାଯାଇ ଜରିମାନା ଆଦାୟ କରାଯାଉଥିବା ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି।

ଏପରିକି, ଉଚ୍ଛେଦ ପରେ ଏବେ ବି ରାଉରକେଲା ବୀରମିତ୍ରପୁର ଓ ଲକ୍ଷ୍ମଣନାଥ ଚେକ୍‌ଗେଟ୍‌ରେ ଟ୍ରକଗୁଡ଼ିକୁ ଜୋରଜବରଦସ୍ତ ଅଟକା ଯାଇ ପାଉଣା ଆଦାୟ କରାଯାଉଥିବା ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି। ତେଣୁ ଟ୍ୟାକ୍ସ୍‍ ବୃଦ୍ଧି ଓ ଏଭଳି ଅନ୍ୟାୟ ପ୍ରତିବାଦରେ ଆସନ୍ତା ୧୫ତାରିଖ ମଧ୍ୟରାତ୍ରିରୁ ରାଜ୍ୟବ୍ୟାପୀ ଟ୍ରକ୍‌ ଧର୍ମଘଟ କରାଯିବ ବୋଲି ମହାସଂଘ ଘୋଷଣା କରିଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘ ଉପସଭାପତି ଦିଲ୍ଲୀପ ପାଣି, ରଣଜିତ୍‌ ପଣ୍ଡା, ସଂପାଦକ ରାଜୀବ କୁମାର ଜେନା, ପ୍ରଶାନ୍ତ କୁମାର ପ୍ରଧାନ, କାଳୀଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଅନାମ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର