ମାଙ୍ଗାନିଜ ବୋଝେଇ ଟ୍ରକ ଜବତ; ୭ ଗିରଫ

ବଡ଼ବିଲ: ମାଙ୍ଗାନିଜ ଚୋରା ଚାଲାଣ ସମୟରେ ବଡ଼ବିଲ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ଟଣ୍ଟୋ ନିକଟରୁ ଏକ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍‌ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକ, ଦୁଇଜଣ ଦଲାଲ, ଦୁଇଜଣ ସ୍ଥାନୀୟ ଗ୍ରାମବାସୀ ଓ ମାଙ୍ଗାନିଜ କିଣିବାକୁ ଥିବା ଦୁଇଜଣ ବ୍ୟକ୍ତି ମୋଟ ୭ଜଣଙ୍କୁ ଗିରଫ କରାଯାଇଛି। ଗୋଟିଏ ବାଇକ୍‌ (ଓଡି-୦୯-ଟି-୦୭୬୩), ୮ଟି ମୋବାଇଲ, ୫୫ ହଜାର ଟଙ୍କା ଜବତ କରାଯାଇଛି। ଟ୍ରକ୍‌ରେ ୨୦ ମେଟ୍ରିକ୍ ଟନ୍ ମାଙ୍ଗାନିଜ ବୋଝେଇ ହୋଇଥିଲା। ଏହାର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ମାଲଦା ସଂରକ୍ଷିତ ଜଙ୍ଗଲରୁ ମାଙ୍ଗାନିଜ ବୋଝେଇ କରି ଟ୍ରକ୍‌ଟି କେନ୍ଦୁଝର ଜିଲ୍ଲା ବଡ଼ବିଲ ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ଦେଇ ଛତିଶଗଡ଼ର ରାୟଗଡ ଅଞ୍ଚଳକୁ ଯାଉଥିଲା। ଗତକାଲି ଏ ସମ୍ପର୍କରେ ଖବର ପାଇବା ପରେ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ବରେ ଏସ୍‌ଆଇ ବରଦା ସାହୁ, ଏଏସ୍‌ଆଇ ବି. ନାୟକଙ୍କ ସହଯୋଗରେ ସ୍ବତନ୍ତ୍ର ଏକ ଟିମ୍‌ ଟଣ୍ଟୋ ନିକଟରେ ଚଢ଼ଉ କରିଥିଲା। ଟ୍ରକ୍‌ରେ ଚୋରା ମାଙ୍ଗାନିଜ ବୋଝେଇ ହୋଇଥିବା ଜାଣିବା ପରେ ପୁଲିସ ତାହାକୁ ଜବତ କରିବା‌ ସହ ୭ଜଣକୁ ଗିରଫ କରିଛି।

ସେମାନେ ହେଲେ ଗାଡ଼ି ଚାଳକ ବିହାର ସମସ୍ତିପୁର ଜିଲ୍ଲା ହସନପୁର ରୋଡ଼ ଥାନା ସାନ୍ ଗ୍ରାମର ଦିନେଶ ସାହାଣୀ, ଗୁଜରାଟ ଅହମଦାବାଦ୍‌ ଜିଲ୍ଲା ଡାନିଲିମ୍ବଡ଼ର ଥାନା ବରହମ୍‌ପୁର ଗ୍ରାମର ଜାଫର ଉସମାନ୍‌ ସେଖ୍, ସମ୍ବଲପୁର ରେଙ୍ଗାଲି ଥାନା ଗଣେଶନଗରର ସୁଜିତ କୁମାର ସାହୁ, ଯାଜପୁର ବଡ଼ଚଣା ଥାନା ଚଣ୍ଡିଖୋଲର ରଞ୍ଜନ ଶର୍ମା, କେନ୍ଦୁଝର ରୁଗୁଡ଼ି ଥାନା କାଟେସାହିର ଅଜିତ କୁମାର ପାତ୍ର, ଚୋରମାଲଦାର ମଙ୍ଗଲ ମୁଣ୍ଡା ଓ ବଡ଼ବିଲ ଥାନା ସାଧୁସିଂହଟିଂର ମହମ୍ମଦ ରଫିକ୍। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର